ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୪ ଗୁରୁତର

ଖଲ୍ଲିକୋଟ: ଘରେ ବାଣ ଭିଡ଼ିବା ହେଲା କାଳ । ବାଣ ଭିଡ଼ିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ । ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମାଣିକପୁର ଗାଁରେ ଘଟିଛି ଘଟଣା । ଗାଁରେ ଜଣଙ୍କ ଘରେ ବାଣ ଭିଡ଼ା ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଘଟଣାରେ ଆହତ ୪ ଜଣଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଖବର ପାଇବା ପରେ ଖଲ୍ଲିକୋଟ ପୋଲିସ ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାଣ ଭିଡ଼ିବା ପାଇଁ ଅନୁମତି ନିଆଯାଇଥିଲା କି ବେଆଇନ ଭାବେ ସେଠାରେ ଏହି କାମ ଚାଲିଥିଲା ତାହାର ମଧ୍ୟ ତଦନ୍ତ ହେବ ।