ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର, ଓଡ଼ିଶାର ୪ ଜଣଙ୍କୁ ମିଳିବ ପ୍ରଦ୍ମଶ୍ରୀ ସମ୍ମାନ  

ନୂଆଦିଲ୍ଲୀ: ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁରଙ୍କୁ ସମ୍ମାନ ମିଳିବ  । କେନ୍ଦୁଝରରେ ୧୯୩୭ ମସିହା ଫେବୃଆରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମାଗୁଣି ଚରଣ କୁଅଁର । ଏକାଧାରରେ ଜଣେ କଣ୍ଢେଇ ନୃତ୍ୟଗୁରୁ, କାଠ, ମାଟି ଓ ପ୍ରସ୍ତରର ନିଖୁଣ କାରିଗର ହେଉଛନ୍ତି ମାଗୁଣି । ତାଙ୍କୁ ସମସ୍ତେ ନୁନ୍ଦୁ କଣ୍ଢେଇ ଭାବେ ଜାଣନ୍ତି । ସେ ଭଞ୍ଜ ସମ୍ମାନ, ବୁଦ୍ଧ ସମ୍ମାନ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି  । ୨୦୧୯ ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ସମ୍ମାନ ପାଇବେ । କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ସମ୍ମାନ ପ୍ରଦାନ କରାଯିବ । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।