ସୁନା ଶଙ୍ଖ ବିକ୍ରି ଘଟଣାର ପର୍ଦ୍ଦାଫାସ, ୪ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି । ଠକମାନେ ପୁରୀ ଜିଲ୍ଲା ଗୋଡିଶାଗଡା ଥାନା ଅନ୍ତର୍ଗତ ଅଲିବାଗ ଗ୍ରାମର ରାଜେଶ ପଲେଇଙ୍କୁ ଏଭଳି ଠକିଥିଲେ । ରାଜେଶ ଏ ନେଇ ଗତ ନଭମ୍ବର ୪ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଉମରକୋଟ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲ୍ଲାର ରାଜେଶ ପଲେଇଙ୍କୁ ଏକ ଶଙ୍ଖ ଦେଖାଇ ଏହା ସୁନା ବୋଲି କହିବାକ ସହ ବିକ୍ରି କରିବାକୁ ଚାହିଁ ଥିଲା । ଏହାର ମୂଲ୍ୟ ସେ ୩ ଲକ୍ଷ ଟଙ୍କା କହିଥିଲା । ରାଜେଶ ତାଙ୍କ ବାପାଙ୍କୁ ଫୋନ କରି ସୁନା ଶଙ୍ଖ ସମ୍ପର୍କରେ କହିବା ସହ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ରାଜେଶଙ୍କ ବାପା ଏକମ୍ବା ଆସିଥିଲେ ଓ ପଲଭଠାରୁ ସୁନା ଶଙ୍ଖକୁ ୩ ଲକ୍ଷ ଟଙ୍କାରେ କ୍ରୟ କରିଥିଲେ । ଯେତେବେଳେ ରାଜେଶଙ୍କ ବାପା ଶଙ୍ଖକୁ ପରୀକ୍ଷା କରିବା ପାଇଁ ବାହାରିଥିଲେ, ପଲଭ ଏପରି ନପରିବାକୁ କହିବା ସହ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ପରେ ରାଜେଶ ଓ ତାଙ୍କ ବାପା ଶଙ୍ଖକୁ ପରୀକ୍ଷା କରି ଦେଖିବା ବେଳକୁ ଏହା ସୁନା ନୁହେଁ ପିତ୍ତଳ ବୋଲି ଜଣା ପଡିଥିଲା ।

ସତ ଜାଣିବା ପରେ ରାଜେଶ ନଭେମ୍ବର ୪ ତାରିଖରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଶିବାଜୀ ନଗରର ଛବିନ୍ଦ୍ର ସାହୁ, ଡାବୁଗାଁ ଥାନାର ଜାମଗୁଡ଼ା ଗ୍ରାମର ଗଣେଶ ପନକା, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମର କ୍ରିଷ୍ଣା ପନକା, ଡାବୁଗାଁ ଥାନା ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମର ହିରାସିଂ ହରିଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଦୁଇଟି ପିତଳ ଶଙ୍ଖ, ୪୦ ହଜାର ଟଙ୍କା, ଗୋଟିଏ କାର, ଦୁଇଟି ଛୁରୀ, ଦୁଇଟତ ଲାଠି ଓ ୪ଟି ମୋବାଇଲ ଜବତ କରିଛି । ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାପଡ଼ାହାଣ୍ଡି ପୋଲିସ ଉପଖାଣ୍ଡ ଅଧିକାରୀ ଆଦିତ୍ୟ ସେନ୍ ଏନେଇ ସୂଚନା ଦେଇଛନ୍ତି ।