‘ଓଡ଼ିଶା ମୋ ପରିବାର’ ପାଇଁ ଘରକୁ ଫେରିଲେ ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶାକୁ ଫେରାଇ ଆଣିଲା ମୋ ପରିବାର ଯୋଜନା  । ସୁଦୂର ରାଇଜରୁ ଘରକୁ  ଫେରିଲେ ୪ଜଣ ଓଡ଼ିଆ ଶ୍ରମିକ । ଏ ସବୁ କେବଳ ସମ୍ଭବ ହୋଇଛି ରାଜ୍ୟ ସରକାରଙ୍କର ମୋ ପରିବାର ଯୋଜନା ପାଇଁ । ତେଲେଙ୍ଗାନାର ଏକ ଇଟା ଭାଟିରେ ଏମାନଙ୍କୁ ରଖି କାମ କରାଉଥିଲା ମାଲିକ । ଏନେଇ ଜଣେ ଶ୍ରମିକ ମୋ ପରିବାର ହେଲ୍ପ ଲାଇନ ନମ୍ବରରେ ଜଣାଇବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବାବୁପାଲି ଗାଁର ୪ଜଣ ଶ୍ରମିକ କାମ କରିବା ପାଇଁ ତେଲେଙ୍ଗାନା ଯାଇଥିଲେ । ସେମାନେ ହେଉଛନ୍ତି ତ୍ରିନାଥ ସୁନା, ତିଳୋତମା ସୁନା, ହିତ ନନ୍ଦ ଏବଂ ସରସ୍ୱତୀ ମହାନନ୍ଦ । ଏମାନେ ତେଲେଙ୍ଗାନାର ରାଙ୍ଗାରେଡ୍ଡୀ ଅଞ୍ଚଳର ଏକ ଇଟାଭାଟିରେ ରହି କାମ କରୁଥିଲେ । ଏବଂ ସେଠାରେ ଭାଟିର ମାଲିକ ଏମାନଙ୍କୁ ନଛାଡ଼ିବାରୁ ସେଠାରେ ଶ୍ରମିକ ମାନେ ଫସିଯାଇଥିଲେ । ଏ ସମ୍ପର୍କରେ ଶ୍ରମିକ ମାନେ ଓଡ଼ିଶା ମୋ ପରିବାରର ହେଲ୍ପ ଲାଇନ୍ ନମ୍ୱରକୁ ଫୋନ୍ କରିଜଣାଇଥିଲେ । ଏହାପରେ ତୁରନ୍ତ ଏହି ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଘଟଣା ବିଷୟରେ ଅବଗତ ହେବା ପରେ ଆନ୍ଧ୍ରପ୍ରଦେଶ ପୂର୍ବତନ ଡି.ଜି.ପି ଏସ୍‌.ଏ ହୁଡ୍ଡାଙ୍କୁ ଅବଗତ କରାଇଥିଲେ ।  ପରେ ଶ୍ରୀ ହୁଡ୍ଡା ଘଟଣା ସମ୍ପର୍କରେ ତେଲେଙ୍ଗାନା ଅତିରିକ୍ତ ଡି.ଜି ଜିତେନ୍ଦ୍ର କୁମାରଙ୍କୁ ଅବଗତ କରାଇ ତୁରନ୍ତ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଏହାପରେ କୁନ୍ଦୁକୁର ଏସ୍‌.ଏଚ୍‌. ଓ ଇଟାଭାଟିରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ କୁନ୍ଦୁକୁର ଥାନାକୁ ନେଇ ଯାଇଥିଲେ । ଏବଂ ସମ୍ପୃକ୍ତ ଇଟାଭାଟିର ମାଲିକଙ୍କୁ ସେମାନଙ୍କୁ ନିଜ ଘରକୁ ପଠାଇବାର ସମସ୍ତ ବନ୍ଦୋବସ୍ତ କରିବାକୁ କହିଥିଲେ । ଫେବ୍ରୁଆରୀ ୧୮ ତାରିଖରେ ଶ୍ରମିକମାନେ ଟ୍ରେନ୍‌ ମାଧ୍ୟମରେ ପ୍ରଥମେ ସିକନ୍ଦରାବାଦରୁ ବରପାଲି ଆସିଥିଲେ ଓ ପରେ ବରପାଲିରୁ ସୁବର୍ଣ୍ଣପୁର ଅନ୍ୟ ଏକ ଟ୍ରେନ୍‌ ମାଧ୍ୟମରେ ଆସି ୧୯ ତାରିଖରେ ସୁବର୍ଣ୍ଣପୁରରେ ପହଞ୍ଚି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉଦ୍ଧାର ହୋଇ ଆସିଥିବା ଶ୍ରମିକମାନେ ଓଡ଼ିଶା ମୋ ପରିବାର ଏଭଳି ସହଯୋଗ ଓ ବଦନ୍ୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାର ସଦସ୍ୟଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply