ଖୁଦୁରୁକୁଣୀ ଓଷାରେ ଅଘଟଣ, ୪ ଜଣଙ୍କୁ ଭସାଇ ନେଲା ନଦୀର ପ୍ରଖର ସ୍ରୋତ

ନୟାଗଡ଼: ଅଘଟଣର ଖବର ଆସିଛି ନୟାଗଡ଼ରୁ । ଖରସ୍ରୋତା ବୃତଙ୍ଗ ନଦୀରେ ଗାଧୋଇବା ବେଳେ ବଡ଼ ଅଘଟଣ ଘଟିଛି । ଖରସ୍ରୋତାର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ୪ ଜଣ ନାବାଳିକା । ଖୁଦୁରୁକୁଣୀ ଓଷା କରିଥିବା ନାବାଳିକା ମାନେ ସକାଳେ ପୂଜା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ହଠାତ୍ ଜଣେ ଭାସି ଯାଉଥିବାରୁ ଜଣଙ୍କ ପରେ ଜଣେ ଉଦ୍ଧାର ପାଇଁ ଆଗେଇ ଆସିଥିଲେ । ହେଲେ ଖରସ୍ରୋତାର ପ୍ରଖର ସ୍ରୋତ ଆଗରେ ବର୍ତ୍ତି ପାରିନଥିଲେ ।
ଚାହୁଁ ଚାହୁଁ ଜଣଙ୍କ ପରେ ଜଣେ ୪ ଜଣଙ୍କୁ ଭସାଇ ନେଇଥିଲା ପ୍ରଖର ଖରସ୍ରୋତା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ଦଶପଲ୍ଲା ଦମକଳ ବାହିନୀ ସହାୟତାରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍ । ଅଗ୍ନିଶମ କର୍ମଚାରୀ ୩ ଜଣଙ୍କୁ ଜୀବତ ଭାବେ ଉଦ୍ଧାର କରିଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଘଟଣାକୁ ନେଇ ଅଞ୍ଚଳରେ ଖେଳଯାଇଛି ଶୋକର ଛାୟା ।