ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡଯନ୍ତ୍ର, ଖଲିସ୍ତାନୀ ଆନ୍ଦୋଳନ ଲାଗି ISIର ବ୍ଲୁ-ପ୍ରିଣ୍ଟ

ନୂଆଦିଲ୍ଲୀ: ଖୋଲୁଛି ହରିଆଣା କରନାଲରେ ଗିରଫ ହୋଇଥିବା ୪ ଆତଙ୍କବାଦୀଙ୍କ ଗୁମର । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଟାର୍ଗେଟରେ ଭାରତ । ଦେଶରେ ଖଲିସ୍ତାନୀ ଆନ୍ଦୋଳନର ଚେର ବୃଦ୍ଧି କରିବା ଲାଗି ଆଇଏସଆଇର ବ୍ଲୁପ୍ରିଣ୍ଟ । ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ, ଭାରତରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଶିଖ୍ ବିଚ୍ଛିନ୍ନତାବାଦୀଙ୍କୁ ବ୍ୟବହାର କରିବାକୁ ଆଇଏସଆଇ ମୁଖ୍ୟ ନଦିମ ଅଞ୍ଜୁମ ଚାହୁଁଛନ୍ତି । ଭାରତର ବିଭିନ୍ନ ସ୍ଥାନକୁ ଅସ୍ତ୍ର ଯୋଗାଇବା ଲାଗି ଖଲିସ୍ତାନୀ ନେତା ରଞ୍ଜିତ ସିଂ ନୀତା ଓ ଓ୍ୱଧ୍ୱା ସିଂ ବାବରଙ୍କୁ ଅଞ୍ଜୁମ କହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ଗତକାଲି ହରିଆଣାର କରନାଲରେ ଆଇଇଡି ଜବତ ସହ ୪ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଅଞ୍ଜୁମର ଗେମ୍ ପ୍ଲାନ ନେଇ ସ୍ପଷ୍ଟ ସୂଚନା ମିଳିଛି । ହାଇପ୍ରୋଫାଇଲ ଗ୍ୟାଙ୍ଗ ଜରିଆରେ ଡ୍ରୋନ ସହାୟତାରେ ଭାରତକୁ ଅସ୍ତ୍ର ଯୋଗାଣ ନେଇ ଆଶଙ୍କା ଦୃଢୀଭୂତ ହୋଇଛି । ଗତକାଲି କରନାଲରୁ ସ୍ଥାନୀୟ କିଙ୍ଗପିନ୍ ଗୁରପ୍ରୀତ ସିଂ ଓରଫ ଗୁରୁତେଜ ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ତେଲଙ୍ଗାନା, ପଞ୍ଜାବ ଓ ହରିଆଣାର ପୋଲିସର ମିଳିତ ଟିମକୁ ନେଇ ଗୁଇନ୍ଦା ବ୍ୟୁରୋ ପକ୍ଷରୁ କରାଯାଇଥିବା ଅପରେସସନରେ ଏହି ୪ ଆତଙ୍କବାଦୀଙ୍କୁ ଧରାଯାଇଥିଲା । ଗୁଇନ୍ଦା ତଥ୍ୟ ଅନୁସାରେ ଅସ୍ତ୍ରଶସ୍ତ୍ର ଗୁଡିକୁ ଡ୍ରୋନ ଜରିଆରେ ପଞ୍ଜାବ ଅଣାଯାଇଥିଲା । ଏହି ଅସ୍ତ୍ରଗୁଡିକୁ ଗ୍ୟାଙ୍ଗଷ୍ଟର ହରବିନ୍ଦର ସିଂ ରିନ୍ଦା ଭାରତର ବିଭିନ୍ନ ସ୍ଥାନକୁ ପଠାଇବା ନେଇ ଯୋଜନା ରହିଥିଲା । ପୂର୍ବରୁ ୨୦୨୧ ଲୁଧିଆନା ବିସ୍ଫୋରଣ ଘଟଣାରେ ମଧ୍ୟ ରିନ୍ଦାର ନାଁ ଥିଲା । ସ୍ଥାନୀୟ ନେତାଙ୍କୁ ହତ୍ୟା କରି ଆତଙ୍କ ସୃଷ୍ଟି କରିବା, ଆରଡିଏକ୍ସ ଜରିଆରେ ବଡ଼ ଧରଣର ବିସ୍ଫୋରଣ ଘଟାଇବା, ଧାର୍ମିକ ଉତ୍ତେଜନା ସୃଷ୍ଟି କରିବା ଲାଗି ଓ୍ୱାଧ୍ୱା ଓ ରିନ୍ଦାଙ୍କୁ ବ୍ୟବହାର କରିବାକୁ ଆଇଏସଆଇ ଯୋଜନା କରିଥିବା ଗୁଇନ୍ଦା ତଥ୍ୟରେ ଦର୍ଶାଯାଇଛି ।