ବଲାଙ୍ଗୀରରେ ଅସୁରକ୍ଷିତ ଗଜରାଜ, ୩ ମାସରେ ଗଲାଣି ୪ ହାତୀଙ୍କ ଜୀବନ
ବଲାଙ୍ଗୀର : ବଲାଙ୍ଗୀରରେ ହାତୀ ମୃତ୍ଯୁ ପାଇଁ ଦାୟୀ କିଏ ? ୩ ମାସ ଭିତରେ ୪ ହାତୀଙ୍କ ମୃତ୍ଯୁ। ସୁରକ୍ଷା ଦେଇପାରୁନାହିଁ ବନବିଭାଗ । ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ଯୁତ ଆଘାତରେ ହାତୀଙ୍କ ମୃତ୍ଯୁ ଘଟୁଥିବା ଅଭିଯୋଗ । ଟିକେ ନଜର ପକାନ୍ତୁ ଜିଲ୍ଲାର ୪ଟି ହାତୀ ମୃତ୍ଯୁ ଘଟଣା ଉପରେ ..ଗତ ଅଗଷ୍ଟ ୨୨ ତାରିଖ ଦିନ ଦେଓଗାଁ ରେଞ୍ଜ ଅନ୍ତର୍ଗତ ଜରାସିଂହା ଗାଁ ନିକଟରୁ ଏକ ୩ବର୍ଷର ଗୋଠଛଡ଼ା ହାତୀ ଶାବକକୁ ବନବିଭାଗ ଟ୍ରାଙ୍କୁଲାଇଜ କରି ଭୁବନେଶ୍ଵର ପଠାଇଥିଲା । ସେଠାରେ ହାତୀ ଶାବକର ମୃତ୍ଯୁ ଘଟିଥିଲା । ଅକ୍ଟୋବର ୮ରେ ବଲାଙ୍ଗୀର ସଦର ରେଞ୍ଜ ଅସୁରଡୁଙ୍ଗୁରି ଗାଁରୁ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଥିଲା ବନବିଭାଗ । ଗତ ଅକ୍ଟୋବର ୧୩ ତାରିଖରେ ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ପୁରୁଣାପାଣି ଗାଁ ନିକଟ ଜଙ୍ଗଲରେ ଆଉ ଗୋଟିଏ ଦନ୍ତାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ନଭେମ୍ବର ୨ରେ ପାଟଣାଗଡ଼ ରେଞ୍ଜ ଲରମ୍ଭା ଝରଝରି ମହବାସାନୀ ସଂରକ୍ଷିତ ଜଙ୍ଗଲରୁ ପୁଣି ଆଉ ଗୋଟିଏ ଦନ୍ତାର ମୃତଦେହ ଠାବ ହୋଇଥିଲା ।
ଗୋଟିଏ ମାସ ଭିତରେ ତିନୋଟି ଗଜରାଜଙ୍କ ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ଘଟଣାରେ ସଠିକ ତଦନ୍ତ କରୁନଥିବା ଅଭିଯୋଗ । ସେହିପରି କାର୍ଯ୍ଯରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ ହୋଇନାହିଁ । ଏପଟେ ବନବିଭାଗ ଓ ଶିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବନ୍ଯପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ପଶୁପ୍ରେମୀ ମାନେ ଅଭିଯୋଗ କରିଛନ୍ତି । ସେପଟେ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଠିକ ଭାବେ କାର୍ଯ୍ଯ କରୁଥିବା ନେଇ ବଲାଙ୍ଗୀର ଡିଏଫଓ କହିଛନ୍ତି ।