ଉଜୁଡା କ୍ଷେତ,ଭୂଲୁଣ୍ଠିତ ଗଛ ପଛରେ ଛାଡି ଉଡିଗଲା ଅମ୍ଫାନ୍

1 min read

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫାନ ତାଣ୍ଡବ ରଚିଛି ସତ ହେଲେ ତା ପୂର୍ବରୁ ଓଡ଼ିଶାରେ ବାତ୍ୟା ତାର କରାଳ ରୂପ ଦେଖାଇସାରିଛି। ବିଶେଷ କରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ଅନେକ କ୍ଷୟକ୍ଷତି ଘଟାଇଛି । ଅମ୍ଫାନ ଯେତିକ ସ୍ଥଳ ଭାଗ ନିକଟକୁ ଆସୁଥିଲା ଏହା ଅଧିକ ଭୟଙ୍କର ରୂପ ଧାରଣ କରୁଥିଲା। ଭଦ୍ରକ ଜିଲ୍ଲାର ସମୁଦ୍ରତଟ ଅଞ୍ଚଳ ଧାମରା ଓ ଚାନ୍ଦବାଲିରେ ବାତ୍ୟା ଅମ୍ଫାନ ଯୋଗୁଁ ଅନେକ ଘର ଭାଙ୍ଗିଛି । ଏହା ସହ ପବନ ଯୋଗୁଁ ବଡ଼ ବଡ଼ ଗଛ ମଧ୍ୟ ଉପୁଡି ପଡ଼ିଛି। ଲାଇନ ଖୁଣ୍ଟ, ମୋବାଇଲ ଟାୱାର ଭାଙ୍ଗିଥିବା ବେଳେ ଘରର ଛାତ ଉଡାଇ ନେଇଛି ଏହି ବାତ୍ୟା। ସେପଟେ ବାତ୍ୟା ପ୍ରଭାବରେ ତିହିଡି କାଁପଡ଼ା ଅଞ୍ଚଳରେ ଏକ ୩ ବର୍ଷର ଶିଶୁ ଉପରେ କାନ୍ଥ ପଡ଼ିଯିବାରୁ ମୃତ୍ୟୁ ହୋଇଛି।

ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ

ତେବେ ବାଲେଶ୍ୱର ଜିଲ୍ଲାର ସୋର, ଭୋଗରାଇ, ଖଇରା ଓ ବାଲିଆପଳ ଅଞ୍ଚଳରେ ବ୍ୟାପକ ଗଛ ଭାଙ୍ଗିଛି । ଖଇରା ବ୍ଲକରେ ଘର ଉପରେ ଗଛ ପଡିଯିବାରୁ ତିନି ଜଣ ଆହତ ହୋଇଛନ୍ତି । ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ମଧ୍ୟ ବ୍ୟାପକ ଗଛ ଭାଙ୍ଗିଛି। ଏହି ଦୁଇ ବ୍ଲକର କିଛି ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି । ବାଲେଶ୍ୱର ସଦର ବ୍ଲକର ପରିଖିରେ ଗଛ ପଡି ୫-୬ ଟି ଦୋକାନ ଘର ଭାଙ୍ଗିଯାଇଛି । ତେଣୁ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ୫ଟି ଏନଡିଆରଏଫ ଏବଂ ୭ଟି ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି। ଫସଲ କ୍ଷୟକ୍ଷିତର ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନଥିଲେ ବି ବର୍ଷା ଓ ପବନ ମାଡରେ ଶହ ଶହ ଏକର ଜମିରେ ପାଣି ମାଡିଯିବା ସହ ଫସଲ ନଷ୍ଟ ହୋଇଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ବାତ୍ୟା ଅମ୍ଫାନ ପ୍ରଭାବରେ ପାରାଦୀପ ଉପକୂଳରେ ୧୦୬ କିଲୋମିଟର ବେଗରେ ପବନ ବହିଥିଲା । ଏହାଦ୍ଵାରା ଜଗତସିଂହପୁର ଜିଲ୍ଲାରେ ସାମାନ୍ୟ କ୍ଷୟକ୍ଷତି ହୋଇଛି । କିଛି ଅଞ୍ଚଳରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ପାରାଦୀପ ଷଢକୂଦ ବସ୍ତିରେ କିଛି ଲୋକଙ୍କ ଚାଳ ଛପର ଉଡିଯାଇଛି । ପାରାଦୀପ ମାଛଧରା ଜେଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ମାଛଧରା ବୋଟ ବୁଡି ଯାଇଥିବା ବେଳେ ୧୫ଟି ବୋଟ ପବନ ମାଡରେ ଭାଙ୍ଗିଯାଇଛି । ସେହିଭଳି ପାରାଦୀପ ମାଲବାହୀ ୱାଗନ କାରଖାନାର ଛପର ଉଡିଯାଇଛି । କେନ୍ଦ୍ରାପଡ଼ାରେ ଅନେକ କ୍ଷୟକ୍ଷତି ଘଟାଇଛି ଅମ୍ଫାନ । ଅମ୍ଫାନ ପ୍ରଭାବରେ ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନାରେ ପାଣି ପଶିଛି। ଅନେକ ପରିବାରଙ୍କ ଘରେ ସମୁଦ୍ର ପାଣି ମଧ୍ୟ ପଶିଛି । ତେବେ ଆଜି ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟୁତ୍ ପୁନରୁଦ୍ଧାର ଓ ରାସ୍ତା ସଫା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।

 

Leave a Reply