ଦୁଇଟି ଦୁର୍ଘଟଣାରେ ୪ ମୃତ

1 min read

ବରଗଡ଼/ବଣାଇ: ଦୁଇଟି ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ବରଗଡ଼ରେ ବାପ, ଝିଅଙ୍କ ମୃତ୍ୟୁ ଘଟିଛି । ସେହିପରି କୋଇଡ଼ାରେ କୋଇଲା ବୋଝେଇ ଟ୍ରକ ଓଲଟି ଡ୍ରାଇଭର ଓ ଖଲାସୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ବରଗଡ଼ରେ କାର ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାପା ଓ ଝିଅଙ୍କ ମୃତ୍ୟୁ ଘଟିଛି । ସମ୍ପର୍କୀୟଙ୍କ ଗାଁରୁ ଯାତ୍ରା ଦେଖି ବାଇକରେ ଫେରୁଥିବା ବେଳେ କନାପାଲି ଛକରେ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେବାରୁ ବାପା ପ୍ରଦୀପ ସାହୁ ଏବଂ ୫ ବର୍ଷର ଝିଅ ରୁପାଙ୍କ ମୃତ୍ୟୁ ଘଟିଛି । ମନୋହରପାଲି ଗାଁରୁ ପ୍ରଦୀପ ଝିଅ ସହ ସୋହେଲା ଥପାପାଲି ଗାଁକୁ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି l ରାସ୍ତା ଉପରେ ବସି ମୃତ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l ଘଟଣା ସ୍ଥଳରେ ଭଟଲି ବିଧାୟକ ସୁଶାନ୍ତ ସିଂ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତକ ପରିବାରଙ୍କୁ ଆଶ୍ୱାସନା ଦେଇଛନ୍ତି l

ସେହିପରି ସୁନ୍ଦରଗଡ଼ ବଣାଇ କୋଇଡାରେ କୋଇଲା ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ତୋଡ଼ା ପୋଲ ଉପରୁ ଭାରସାମ୍ୟ ହରାଇ ୧୪ ଚକିଆ ଟ୍ରକଟି ୫୦ ଫୁଟ ତଳକୁ ଖସି ପଡ଼ିବାରୁ ଚାପି ହୋଇ ଚାଳକ ଓ ଖଲାସୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ କୋଇଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଚଳାଇଛନ୍ତି ।