ଦୁର୍ଘଟଣାରେ ଗଲା ୪ ଜୀବନ

ଭଦ୍ରକ/ଦେବଗଡ଼: ଦୁଇଟି ଦୁର୍ଘଟଣାରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ କୁହୁଡ଼ି ନେଇଛି ଜଣେ ବାଇକ ଆରୋହୀଙ୍କ ଜୀବନ ।

ଭଦ୍ରକ ବାସୁଦେବପୁର ସାବରଙ୍ଗ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ବାସୁଦେବପୁର ଥାନା ଏଡ଼ତାଲ ଅଞ୍ଚଳର ଦୈତାରି ବେହେରା , ପ୍ରକାଶ ଦଳେଇ ଓ ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର । ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଧାମରା ଅଞ୍ଚଳରେ ରୋଷେୟା ଓ ଅନ୍ୟ ଜଣେ ବନ୍ଦର ନିକଟରେ କାର୍ଯ୍ୟ କରୁଥିଲେ । ଗତକାଲି ଧାମରାରୁ ଫେରିବା ବେଳେ ଦୁଃଶାସନଙ୍କୁ ଚଣ୍ଡୀଗାଁରେ ଛାଡି ଅନ୍ୟ ଦୁଇ ଜଣ ବାସୁଦେବପୁର ଥାନା ଏଡ଼ତାଲ ଫେରିଥାନ୍ତେ । କିନ୍ତୁ ସାବରଙ୍ଗ ହାଇସ୍କୁଲ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି ।

ସେହିପରି କୁହୁଡି ଯୋଗୁଁ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ପିଟିବା ଫଳରେ ଦେବଗଡ଼ ଜିଲ୍ଲା ରିଆମାଳ ଅଂଚଳର ସୁବ୍ରତ ରାଉତଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଆକଟା ବ୍ରିଜ ଛକ ନିକଟରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ବାଇକ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ବାଇକ ଆରୋହିଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କିଆକଟା ପୋଲିସ ଶବ ଜବତ କରିବା ସହ ମୃତକଙ୍କ ପରିବାରକୁ ଖବର ଦେଇଛି।

Leave a Reply