spot_img

Latest Posts

ବନ୍ଧାହେଲେ ୪ ସାଇବର ଠକ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସକୁ ବଡ଼ ସଫଳତା । ୪ ସାଇବର ଠକଙ୍କୁ ଗିରଫ ସହ ୨ଟି ବ୍ୟାଙ୍କ୍ ଜମାଖାତା ଜବତ । ୭୮୦ରୁ ଅଧିକ ମାମଲା ରଜୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ । ଜବତ ହୋଇଥିବା ୨ଟି ବ୍ୟାଙ୍କ୍ ଜମାଖାତାରେ ୮ ଲକ୍ଷ ଟଙ୍କା ଅନ୍‌ଲାଇନ୍ ଦେଣନେଣ ହୋଇଥିବା ଜଣାପଡିଛି । ଗିରଫ ୪ ଜଣ ହେଲେ ଛତ୍ରପୁର ଗଣେଶନଗର ପ୍ରଥମ ଲାଇନ୍‌ର କେ.ଅନୀଲ୍ ପାତ୍ର, ନିଳକଣ୍ଠସାହିର ଗଗନ ଦଳାଇ, ହୁମ୍ମାର ଶଙ୍କର୍ଷଣ ସାହୁ ଏବଂ ରମ୍ଭା ଥାନା କୁଜିଢ଼େପ ଗାଁର ପବିତ୍ର ପ୍ରଧାନ । ଏହି ଘଟଣାର ମୁଖ୍ୟ ଏଜେଣ୍ଟ ହେଉଛି ପବିତ୍ର ପ୍ରଧାନ । ସେ ଗତ ୨ ବର୍ଷ ହେଲା ଫେସ୍‌ବୁକ୍ ସାଙ୍ଗ ଦିଲ୍ଲୀର ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ସହ ଯୋଗାଯୋଗ କରି ଅନ୍‌ଲାଇନ୍ ମାଧ୍ୟମରେ ସାଇବର ଠକେଇ ଚଳାଇଥିଲା ।

ପବିତ୍ର ଛତ୍ରପୁର ଓ ଗଞ୍ଜାମ ଅଂଚଳର ସହଯୋଗୀ ମାନଙ୍କ ମାଧ୍ୟମରେ ହିତାଧିକାରୀଙ୍କ ଆଧାରକାର୍ଡ ନେଇ ସିମ୍ ପ୍ରସ୍ତୁତ କରିଥିଲା । ଏହି ସିମ୍ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କ୍ ଗୁଡିକରେ ଜମାଖାତା ଖୋଲିଥିଲା  । ସେହି ଜମାଖାତା ଗୁଡିକ କୁରିରିଅର ମାଧ୍ୟମରେ ଦିଲ୍ଲୀର ରଜତ ଶର୍ମାଙ୍କ ନିକଟକୁ ପବିତ୍ର ପଠାଉଥିଲା  । ଗୋଟିଏ ଜମାଖାତା ପିଛା ରଜତ ଶର୍ମା ପବିତ୍ରକୁ ୧୮ ହଜାର ଟଙ୍କା ଦେଉଥିଲା । ସେଥିରୁ ପବିତ୍ର ୭ ହଜାର ଟଙ୍କା ରଖି ବାକି ୧୧ ହଜାର ଟଙ୍କା ସହଯୋଗୀ ମାନଙ୍କୁ ଦେଉଥିଲା । ସହଯୋଗୀ ମାନେ ଯେଉଁମାନଙ୍କ ଆକାଉଣ୍ଟ, ସେହିମାନଙ୍କୁ ୩ ରୁ ୫ ହଜାର ଟଙ୍କା ଦେଇ ବାକି ଟଙ୍କା ରଖୁଥିଲେ । ଏହାପରେ ଦିଲ୍ଲୀର ରଜତ ଶର୍ମା ଏଠାରୁ ସଂଗ୍ରହ ହୋଇଥିବା ଜମାଖାତା ଗୁଡିକୁ ଅନ୍‌ଲାଇନ୍ ବିଭିନ୍ନ ପ୍ରକାର ଖେଳ ତଥା ଠକେଇରେ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲା  । ଏଭଳି ଠକେଇ ସିଣ୍ଡିକେଟର ପର୍ଦାଫାଶ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଛି ପୋଲିସ ।

Latest Posts

Don't Miss