ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ୪ ଚୀନ ନାଗରିକ ଗିରଫ

1 min read

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନେପାଳ ବର୍ଡରରେ ସୀମା ସୁରକ୍ଷା ବଳ (ଏସଏସବି) ୪ ଜଣ ଚୀନ ନାଗରିକଙ୍କୁ ଗିରଫ କରିଛି । ଏମାନେ ନେପାଳ ରାସ୍ତା ଦେଇ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାକୁ ଅପରେସନ ସିନ୍ଦୂର ଜରିଆରେ ଧ୍ବଂସ କରିବାର କିଛି ଘଣ୍ଟା ପରେ ଏହି ଘଟଣା ସାମ୍ନାକୁ ଆସିଛି । ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରକସୌଲ ସ୍ଥିତ ନେପାଳ ସୀମାରେ ଚେକିଂ ସମୟରେ ଚୀନ ନାଗରିକମାନେ ଧରାପଡ଼ିଥିଲେ । ଗିରଫ ହୋଇଥିବା ଚୀନ ନାଗରିକମାନେ ବିନା ଭିସାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଏସଏସବିର ବାଟାଲିୟନର ଯବାନଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚୀନ ନାଗରିକ ଦୁଇ ନେପାଳୀ ମହିଳାଙ୍କୁ ଗାଇଡ ଆଳ ଦେଖାଇ ଇ-ରିକ୍ସାରେ ରକସୌଲ ବର୍ଡରରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ । ସେହି ସମୟରେ ଏସଏସବି ଯବାନ ସେମାନଙ୍କୁ ଧରିନେଇଥିଲେ । ତଲାସୀ ବେଳେ ସେମାନଙ୍କ ଠାରୁ ଚାଇନିଜ ପାସପୋର୍ଟ ଜବତ କରାଯାଇଛି ।