ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ନାମାଙ୍କନ ଭରିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ

1 min read

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ନାମାଙ୍କନ ଦାଖଲ କଲେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ । ସେହିଭଳି ଏକମାତ୍ର ଆସନରେ ଉପନିର୍ବାଚନ ପାଇଁ ଅନ୍ୟତମ ପ୍ରାର୍ଥୀ ନିରଞ୍ଜନ ବିଶି ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଏହି ୪ ପ୍ରାର୍ଥୀ ।

ବିଜେଡି ସାଂଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୪ ପ୍ରାର୍ଥୀ । ଏହି ସମୟରେ ବିଜେଡି ବହୁ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ସାଂସଦ ଉପସ୍ଥିତ ଥିଲେ । ପ୍ରଥମେ ସୁଲତା ଦେଓ, ପରେ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ଶେଷରେ ନିରଞ୍ଜନ ବିଶି ନାମାଙ୍କନ ପତ୍ର ଦାଖଲ କରିଥିଲେ । ୩ଟି ଆସନରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ୩ଟି ଆସନରେ ନିର୍ବାଚନ ହେଉଛି ।

ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ମାନସ ମଙ୍ଗରାଜ କହିଛନ୍ତି, ଏହା ତାଙ୍କ ପାଇଁ ସରପ୍ରାଇଜ୍ ଥିଲା । ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ କାମ କରିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଅନୁସରଣ କରିଛି ବୋଲି କହିଛନ୍ତି ମାନସ ମଙ୍ଗରାଜ । ଦିଲ୍ଲୀ ରାଜ୍ୟର ହିତ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି ମାନସ ମଙ୍ଗରାଜ । ସେହିପରି କଟକ ମେୟର ଭାବେ ସୁବାସ ସିଂହ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ଆସନ ପାଇଁ ଉପନିର୍ବାଚନ ହେଉଛି । ଏହି ଉପନିର୍ବାଚନ ପାଇଁ ଜୁନ ୨ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଆଜି ବିଜେଡି ପ୍ରାର୍ଥୀ ଭାବେ ନିରଞ୍ଜନ ବିଶି ନାମାଙ୍କନ ଦାଖଲ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ରଜରାଜନଗର ଉପ-ନିର୍ବାଚନ; ଦିନ ୧ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ