ସାଇବର୍ ଠକଙ୍କୁ ୪ ହଜାର ନକଲି ସିମକାର୍ଡ ବିକ୍ରି କରିଥିବା ୪ ଅଭିଯୁକ୍ତ ଗିରଫ

କେନ୍ଦୁଝର :  ସାଇବର୍ ଠକଙ୍କୁ ୪ ହଜାର ନକଲି ସିମକାର୍ଡ ବିକ୍ରି କରିଥିବା ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ । ଏସବୁ ନକଲି ସିମ୍ କାର୍ଡ ଝାଡ଼ଖଣ୍ଡ, ବିହାର ଓ ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ବିକ୍ରି କରିଥିଲେ । ସେମାନଙ୍କ ନିକଟରୁ ୫୩୮ଟି ସିମ୍, ୧୮ଟି ମୋବାଇଲ ଫୋନ୍ , ୫ଟି ବାଓମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ, ୨୫ଟି ଆଇ କାର୍ଡ, ଗୋଟିଏ ଲାପଟପ, ୭ଟି ପାସବୁକ୍, ୧୮୫ଟି ଫଟୋ ଓ ୫ ହଜାର ଟଙ୍କା ଜବତ ହୋଇଛି ।

କେନ୍ଦୁଝର ଏସପି ନୀତିନ କୁଶଲକର ଦେଇଥିବା ସୂଚନା ଅନୁଯାୟୀ, ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିଲେ । ନିରୀହ ଲୋକଙ୍କ ଅଜାଣତରେ ସେମାନଙ୍କ ନାଁ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ । ପ୍ରତି ସିମ୍ କାର୍ଡକୁ ୪ ହଜାରରୁ ୫ ହଜାର ଟଙ୍କାରେ ସେମାନେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ । ଏହି ୪ଜଣ ହେଲେ ଘଷିପୁରା ଥାନା ଅଞ୍ଚଳର ରାଜକିଶୋର ଜେନା, ସୁବ୍ରତ କୁମାର ଜେନା ଓ ତପନ କୁମାର ଜେନା ଏବଂ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ମିଶ୍ର । ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଅଧିକ ମାମଲା ଅଛି । ସିମ୍ କାର୍ଡ ବ୍ୟବହାର ନେଇ ଆରମ୍ଭ ତଦନ୍ତ ।