କଟକ ଐତିହାସିକ ବାଲିଯାତ୍ରାର ଆଜି ତୃତୀୟ ଦିନ

କଟକ: ଐତିହାସିକ ବାଲିଯାତ୍ରାର ଆଜି ତୃତୀୟ ଦିନ।  ଉତ୍କଳୀୟ ପରମ୍ପରା. ଐତିହ୍ୟ ଓ ଗୌରବମୟ ଅତୀତର ଗାଥାକୁ ନେଇ ଦୁଲୁକୁଛି ବାଲିଯାତ୍ରା ପଡିଆ । ଉଦଘାଟନୀ ପରଠାରୁ ବାଲିଯାତ୍ରାରେ ଖଚାଖଚ ଭିଡ଼ ପରିଲକ୍ଷିତ ହେଉଛି। ସୁଆଦିଆ ଖାଦ୍ୟ ସାଙ୍ଗକୁ ଶହ ଶହ ସଂଖ୍ୟାରେ ଲାଗିଛି ଷ୍ଟଲ । ବାଲିଯାତ୍ରା ବୁଲି ଘରକରଣା ସାମଗ୍ରୀ କିଣ ନେଉଛନ୍ତି ଦର୍ଶକ। ଏହାସହ ବିଶାଳକାୟ ଦୋଳିର ମଜା ଉଠାଉଛନ୍ତି ଦେଖଣାହାରୀ। ବାଲିଯାତ୍ରାରେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେଉଛି । ଏସବୁ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଦର୍ଶକ । ମହାନଦୀ କୂଳର ସୁଲୁସୁଲିଆ ପବନରେ ବୁଲିବା ସାଙ୍ଗକୁ ମିନାବଜାରର ମଜା ଉଠାଇଛନ୍ତି ଦର୍ଶକ। ଚଳିତ ବର୍ଷ ତଳ ଉପର ପଡିଆରେ ୧୨୪୦ଟି ଷ୍ଟଲ ପଡିଛି । ଏଥିରେ ସରକାରୀ ଷ୍ଟଲ କେବଳ ୨୦୦ ରହିଛି । ବାଲିଯାତ୍ରାରେ ଦେଖଣାହାରୀଙ୍କ ସୁରକ୍ଷା ପ୍ରତି ଅଧିକ ସତର୍କ ଦୃଷ୍ଟି ଦିଆଯାଇଛି । ନଜର ରଖିବାକୁ ୭୭୭ଟି ସିସିଟିଭି କ୍ୟାମେରା ଲାଗିଛି । ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୂତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଯାଇଛି । ଖାଦ୍ୟ ପଦାର୍ଥ ଷ୍ଟଲ ଗୁଡିକରେ ସିଏମସି ଓ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଟିମ୍ ମଧ୍ୟ ଲଗାତର ଚଢାଉ ଜାରି ରଖିଛି ।