ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ବିଶିଷ୍ଟ ଶଳ୍ପପତିମାନଙ୍କ ସହ କରିବେ ଆଲୋଚନା

ଆଜିଠାରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ଦେଶର ବିଶିଷ୍ଟ ଶିଳ୍ପପତିଙ୍କୁ ସେଠାକୁ ଆମନ୍ତ୍ରିତ କରାଯାଇଛି । ଏହାପରେ ସେଠାରେ ରୋଡ୍ ସୋ’ କାର୍ଯ୍ୟକ୍ରମ ହେବ । ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁରୋଧ କରିବେ ।

ମହିନ୍ଦ୍ରା ଗ୍ରୃପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୃପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ୍ ଅନୀଲ୍ ଅଗ୍ରଓ୍ବାଲ୍ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ବଡ଼ ବଡ଼ ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ନବୀନ କିଛି ବିଶିଷ୍ଟ ବ୍ୟାଙ୍କର୍ସମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ୍ ଦିନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ୍ ଏସଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା ଓ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଝାଙ୍କ ସହ ଆଲୋଚନା କରିବେ । କେବଳ ସେତିକି ନୁହେଁ ଏସିଆନ୍ ପେଣ୍ଟସ, ଲାରସେନ୍ ଆଣ୍ଡ ଟର୍ବୋ ଭଳି କଂପାନୀର ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪ ତାରିଖ ଦିନ ୧୧ରୁ ଗୋଟାଏ ୩୦ ପର୍ଯ୍ୟନ୍ତ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ନବୀନ ।

ସଂଧ୍ୟା ୫ଟାରେ ରୁ ୫ଟା ୩୦ ଭିତରେ କୁମାର ମଙ୍ଗଲମ୍ ବିର୍ଲା, ୫.୩୦ରୁ ୬ଟା ଭିତରେ ଅନୀଲ୍ ଅଗ୍ରୱାଲଙ୍କ ସହ ସାକ୍ଷାତ କରିବେ । ଏହାପରେ ସଂଧ୍ୟା ୭ଟାରୁ ସେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବେ । ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ ।

ଏହାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ଏବଂ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ସମ୍ପର୍କରେ ନିବେଶକଙ୍କୁ ବୁଝାଉଛନ୍ତି । ଦୁବାଇ ଓ ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ପରେ ମୁମ୍ବାଇରେ ଏହା ଆୟୋଜିତ ହେଉଛି ।