ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ୩୭୦ ସାଂସଦ
ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର । ଭାରତୀୟ ଜନତା ପାର୍ଟି ମଧ୍ୟ ନିଜ ଷ୍ଟାର ପ୍ରଚାରକଙ୍କୁ ନେଇ ରାଲି ଓ ଜନସଭା ଆୟୋଜନ କରୁଛି । ଆଉ ବିଜେପି ପ୍ରଚାରର ନେତୃତ୍ୱ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ନବ ନିର୍ବାଚିତ ବିଜେପି ମୁଖ୍ୟ ଜେ.ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି । ଏଭଳି ସମୟରେ ପ୍ରଚାରକୁ ଆହୁରି ଜୋରଦାର କରିବା ନେଇ ଯୋଜନା କରୁଛି ବିଜେପି । ବିଜେପି ନିଜ ପ୍ରଚାରରେ ୩୭୦ରୁ ସାଂସଦଙ୍କୁ ଓହ୍ଲାଇବାକୁ ଯୋଜନା କରିଛି । ଆଗାମୀ ୪ ଦିନ ଯାଏଁ ସଂସଦର କାର୍ଯ୍ୟକ୍ରମ ସରିବା ପରେ ୩୭୦ ସାଂସଦ ରାତିରେ ଦିଲ୍ଲୀର ବସ୍ତି ଅଞ୍ଚଳ ଓ ଅନଧିକୃତ କଲୋନୀକୁ ଯାଇ ଲୋକଙ୍କ ସହ ସାକ୍ଷାତ କରିବେ । ଏଥିସହିତ ପାର୍ଟି କର୍ମକର୍ତ୍ତାଙ୍କ ସହ ମିଶି ଛୋଟ ଛୋଟ ମିଟିଂ କରିବେ । ଗୃହମନ୍ତ୍ରୀ ଅମିତ୍ ଶାହା, ୟୁପି ସିଏମ୍ ଯୋଗୀ ଆଦିତ୍ୟ ନାଥ, ବିଜେପି ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଚଳାଇଛନ୍ତି । ଦିଲ୍ଲୀ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ଜାରି ଅନେକ ଘୋଷଣା ପତ୍ରରେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି ।