spot_img

Latest Posts

ଖର୍ଚ୍ଚ ହୋଇପାରୁନି ବଜେଟ୍ ଅର୍ଥ: ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଖର୍ଚ୍ଚ ହୋଇପାରୁନି ବଜେଟ୍ ଅର୍ଥ । ଡିସେମ୍ବର ସୁଦ୍ଧା ୫୦ ପ୍ରତିଶତର କମ । ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ଘେରିଲା କଂଗ୍ରେସ, ଜବାବ ରଖିଲା ବିଜେପି । ବଜେଟରେ ବ୍ୟୟ ବରାଦ ବଢୁଛି, କିନ୍ତୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହୋଇପାରୁନାହିଁ ଟଙ୍କା। ଡିସେମ୍ବର ସୁଦ୍ଧା ୫୦ ପ୍ରତିଶତ ଅର୍ଥ ବି ଖର୍ଚ୍ଚ ହୋଇନି। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି, ବିଜେପି ସରକାର ବଜେଟ ଅର୍ଥ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ତେଣୁ ବଜେଟ ଅଧିବେଶନରେ ପୁଣି ବଜେଟ ଆଣିବାର କିଛି ଅର୍ଥ ନାହିଁ। ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ବଜେଟରେ ବ୍ୟୟ ବରାଦ ଅର୍ଥରୁ ମାତ୍ର ୪୮.୨୮ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି। ସେଥିରୁ ବିଶେଷ କରି ଗୃହ, ବାଣିଜ୍ୟ, ରାଜସ୍ବ, ଅବକାରୀ, ଶ୍ରମ, ଅର୍ଥ, ସାଧାରଣ ଉଦ୍ୟୋଗ, କ୍ରୀଡ଼ା ଓ ଯୁବ ବ୍ୟାପାର ପରି ଗୁରୁତ୍ବପୂର୍ଣ୍ଣ ବିଭାଗରେ ବଜେଟ ଅର୍ଥ ଖର୍ଚ୍ଚ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ବଜେଟ ଅର୍ଥ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି ସରକାର। ତେଣୁ ୨୦୨୬ -୨୭ ବାର୍ଷିକ ବଜେଟ ଆଣିବାର ଅଧିକାର ନାହିଁ ବୋଲି କହିଛି ବିଜେଡି। ମାର୍ଚ୍ଚ ସୁଦ୍ଧା ମୂଳ ବଜେଟ ସହ ଅତିରିକ୍ତ ବଜେଟ ଅର୍ଥ ଖର୍ଚ୍ଚ କରିବା ନେଇ ସନ୍ଦେହ ରହିଛି। କଂଗ୍ରେସ କହିଛି, ବଜେଟ ଅର୍ଥ ଖର୍ଚ୍ଚ ହୋଇ ପାରୁନଥିବାରୁ ରାଜ୍ୟରେ ଠପ ହୋଇଛି ବିକାଶ କାର୍ଯ୍ୟ।

୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ୨୦୨୫-୨୬ ପାଇଁ ରାଜ୍ୟ ସରକାର ବଜେଟ ଆକାରରେ ୯.୪ ପ୍ରତିଶତ ବୃଦ୍ଧି କରିଥିଲେ। ୨୦୨୪-୨୫ରେ ୨ ଲକ୍ଷ ୬୫ ହଜାର କୋଟିର ବଜେଟ ପ୍ରସ୍ତୁତ ହୋଇଥିଲା। ଆଉ ୨୦୨୫-୨୬ରେ ବଜେଟ ଆକାର ୨ ଲକ୍ଷ ୯୦ ହଜାର କୋଟିକୁ ବଢିଲା। ଏଥିରେ କୃଷି ପାଇଁ କେବଳ ୩୭ ହଜାର ୮୩୮ କୋଟିର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ଏଥିସହ ୨୦୨୫ ଡିସେମ୍ବରରେ ସରକାର ଆଣିଥିଲେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍। ତଥ୍ୟ କହୁଛି, ଗତବର୍ଷ ତୁଳନାରେ ରାଜସ୍ବ ବିଭାଗ ୩୪.୭୬, ଅବକାରୀ ବିଭାଗ ୪୧.୬୬, ଏମଏସଏମଇ ୪୪.୨୨, ଶ୍ରମ ବିଭାଗ ପରି ବହୁ ବିଭାଗ କମ ଅର୍ଥ ଖର୍ଚ୍ଚ କରିଛନ୍ତି। ତେବେ କାହିଁକି ରାଜସ୍ବ ବିଭାଗ କମ ଅର୍ଥ ଖର୍ଚ୍ଚ କରିଛି ସେନେଇ ଯୁକ୍ତି ବାଢ଼ିଛନ୍ତି ରାଜସ୍ବ ମନ୍ତ୍ରୀ। ସରକାରୀ ହିସାବ କହୁଛି, ଡିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ବଜେଟ ବ୍ୟୟ ବରାଦ ଖର୍ଚ୍ଚ ୪୮.୨୮ ପ୍ରତିଶତ। ଏଭଳିସ୍ଥିତିରେ ପୁଣି ରାଜ୍ୟ ସରକାର ବଡ଼ ବଜେଟ ଆଣିବାକୁ କସରତ ଜାରି ରଖିଛନ୍ତି।

Latest Posts

Don't Miss