ମାନସଙ୍କ ପ୍ରଶ୍ନ କେନ୍ଦ୍ରର ଉତ୍ତର, ଓଡ଼ିଶାରେ ଗତ ୫ ବର୍ଷରେ ପ୍ରତିଷ୍ଠା ହୋଇଛି ୩୬୦ ବାୟୋଗ୍ୟାସ୍ ପ୍ଳାଣ୍ଟ

1 min read

ନୂଆଦିଲ୍ଲୀ: ମାନସଙ୍କ ପ୍ରଶ୍ନ କେନ୍ଦ୍ରର ଉତ୍ତର । ଓଡ଼ିଶାରେ ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ୩୬୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ନୂତନ ଓ ପୁନଃ ନବୀକରଣ ଶକ୍ତି ମନ୍ତ୍ରୀ ଆର କେ ସିଂହ ଏହି ତଥ୍ଯ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ବାୟୋଗ୍ୟାସ୍ କାର୍ଯ୍ୟକ୍ରମ ଅଧୀନରେ ୪୬ ହଜାର ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୮୯ ହଜାର ୩୬୮ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଆର୍ଥିକ ବର୍ଷ ଆରମ୍ଭରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ଟାର୍ଗେଟ ଦିଆଯାଉଛି । ପ୍ରତିବର୍ଷ କ୍ଷୁଦ୍ର ବାୟୋଗ୍ୟାସ୍ ପ୍ଲାଣ୍ଟ୍ ସ୍ଥାପନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କର ବାୟୋଗ୍ୟାସ୍ ପ୍ରୋଗ୍ରାମ କାର୍ଯ୍ୟକାରୀ ଏଜେନ୍ସିକୁ ୪୦ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଅନୁସୂଚିତ ଜାତି ଏବଂ ଜନଜାତି, ଦ୍ୱୀପପୁଞ୍ଜ, ପାହାଡ଼ିଆ ଏବଂ ଉତ୍ତର ପୂର୍ବ ଅଞ୍ଚଳର ବାୟୋଗ୍ୟାସ୍ ହିତାଧିକାରୀଙ୍କ ପାଇଁ ଅଧିକ କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା କରାଯାଇଛି। ସମସ୍ୟା ମୁକ୍ତ କାର୍ଯ୍ୟ ଏବଂ ବାୟୋଗ୍ୟାସ୍ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ମାଗଣା ୱାରେଣ୍ଟି ପ୍ରଦାନ କରାଯାଉଛି ।