ରାଜ୍ୟରେ ବଢିଲା ଗ୍ରୀଷ୍ମପ୍ରବାହ, ଚଳିତବର୍ଷ ପ୍ରଥମଥର ୩୬ ଡିଗ୍ରୀ ପାର୍

ଭୁବନେଶ୍ବର: ରାଜ୍ୟରେ ବଢିଲା ଗ୍ରୀଷ୍ମପ୍ରବାହ। ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ ଡିଗ୍ରୀ ଅତିକ୍ରମ କଲା ଦିନର ତାପମାତ୍ରା । ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ଆଜି ସର୍ବୋଚ୍ଚ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ବଲାଙ୍ଗୀରରେ ୩୫.୯ଡିଗ୍ରୀ ତାତି ରହିଥିବାବେଳେ ବୌଦ୍ଧରେ ୩୫.୫ ଡିଗ୍ରୀ, ଝାରସୁଗୁଡା ୩୫.୪ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୩୪.୪ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ପାରଳାଖେମୁଣ୍ଡି ଏବଂ ସୋନପୁରରେ ୩୪.୮, ସମ୍ବଲପୁର, ହୀରାକୁଦ ଏବଂ ମାଲକାନଗିରିରେ ୩୪.୭, ନୟାଗଡ଼ରେ ୩୪.୫, ରାୟଗଡାରେ ୩୪.୨ ଓ ଅନୁଗୁଳରେ ୩୪.୧ ଡିଗ୍ରୀ ତାତି ରେକର୍ଡ ହୋଇଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ବଢୁଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆହୁରି  ତାତି ବଢିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରାଯାଇଛି । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ତାତିବ।