ଲକଡାଉନରେ ମଦ ନମିଳିବାରୁ ପିଇଲେ ସାନିଟାଇଜର, ଆଉ ତା ପରେ…

ତାମିଲନାଡୁ: ଦେଶରେ କରୋନା ଭାଇରସର ସଂକ୍ରମଣ ବଢ଼ୁଥିବାରୁ ସରକାର ଏବଂ ବିଶେଷଜ୍ଞ ମାନେ ଲୋକ ମାନଙ୍କୁ ସଫା ସୁତୁରା ରହିବା ସହିତ ସାନିଟାଇଜର ବ୍ୟବହାର କରିବା ପାଇଁ ଅପିଲ କରିଛନ୍ତି । ତେବେ ଏହି ସାନିଟାଇଜର କାରଣରୁ କୋଏମ୍ବଟୁରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

କୋଏମ୍ବଟୁରରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ସାଇନାଇଜକୁ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଏକ ଏଜେନ୍ସିରେ ଗ୍ୟାସ ଡେଲିଭରୀ ବୟ ରୂପରେ କାମ କରୁଥିଲେ ।

ସୂଚନା ଅନୁଯାୟୀ, ସାନିଟାଇଜର ପିଇବା ପରେ ମୃତ୍ୟୁବରଣ କରିଥିବା ବର୍ନାର୍ଡ ନାମକ ଏହି ବ୍ୟକ୍ତିଙ୍କର ମଦ ପିଇବା ଭଳି ଖରାପ ଅଭ୍ୟାସ ଥିଲା । ଲକଡାଉନ ପରେ ମଦ ନମିଳିବାରୁ ସେ ବହୁତ ରାଗି ଯାଇଥିଲେ ଏବଂ ଏହି ସମୟରେ ହାତକୁ ସଫା ରଖିବା ପାଇଁ ଏଜେନ୍ସି ତାଙ୍କୁ ଦେଇଥିବା ସାନିଟାଇଜରକୁ ପିଇ ଦେଇଥିଲେ । ଏହାପରେ ଯୁବକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ।

ବାର୍ନାର୍ଡଙ୍କ ସ୍ତ୍ରୀ ତାଙ୍କୁ ଡାକ୍ତରଖାନା ନେଇକି ଗଲେ କିନ୍ତୁ ତା ପୂର୍ବରୁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାର୍ନାର୍ଡଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଏପରି ଏକ ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିଲା । କେରଳର ଏକ ଜେଲରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରାଯାଉଥିବା ସାନିଟାଇଜରକୁ ଜଣେ କଏଦୀ ମଦ ଭାବି ପିଇ ଦେଇଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

Leave a Reply