ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୧୨୮୫ଙ୍କ ମଧ୍ୟରୁ ୩୪୮ ଜଣଙ୍କ ନାଁରେ ଅପରାଧିକ ମାମଲା

1 min read

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନରେ ଠିଆ ହୋଇଥିବା ୧୨୮୫ ପ୍ରାର୍ଥୀଙ୍କ ମଧ୍ଯରୁ ୩୪୮ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୨୩ ପ୍ରତିଶତ ଅର୍ଥାତ ୨୯୨ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧ ମାମଲା। ପ୍ରାର୍ଥୀଙ୍କ ସତ୍ଯପାଠର ତର୍ଜମା କରି ଏହି ରିପୋର୍ଟ ଦେଇଛି ଇଲେକସନ ୱାଚ । ଏହି ରିପୋର୍ଟ ଅନୁସାରେ ୬୬ ଜଣଙ୍କ ବିରୋଧରେ ମହିଳା ବିରୋଧୀ ହିଂସାର କେସ୍ ଥିବା ବେଳେ ୪ ଜଣ ଦୁଷ୍କର୍ମର ଅଭିଯୁକ୍ତ। ୧୦ ଜଣଙ୍କ ନାମରେ ହତ୍ୟା ମାମଲା ଅଛି। ୭୦ ଜଣଙ୍କ ନାଁରେ ହତ୍ଯା ଉଦ୍ଯମ ମାମଲା ଅଛି।

ରାଉରକେଲାର ବିଜେପି ପ୍ରାର୍ଥୀ ଦିଲୀପ ରାୟ ହେଉଛନ୍ତି ସବୁଠୁ ଧନୀ। ତାଙ୍କର ସଂପତ୍ତି ହେଲା ୩୧୩ କୋଟି ୫୩ ଲକ୍ଷ ଟଙ୍କା। ଦ୍ଵିତୀୟରେ ଅଛନ୍ତି, କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ । ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ୧୩୫ କୋଟି ୧୭ ଲକ୍ଷ ଟଙ୍କାର ସମ୍ପତ୍ତି ସହିତ ବସ୍ତା ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା ତୃତୀୟ ଧନୀ ପ୍ରାର୍ଥୀ । ସତ୍ଯପାଠ ଅନୁସାରେ ୫ ବିଧାୟକ ପ୍ରାର୍ଥୀଙ୍କ କିଛି ସଂପତ୍ତି ନାହିଁ । ୩୨% ଅର୍ଥାତ ୪୧୨ ଜଣ ପ୍ରାର୍ଥୀ କୋଟିପତି ଅଟନ୍ତି। ଏଥର ନିର୍ବାଚନ ଦୌଡ଼ରେ ଅଛନ୍ତି ୧୭୮ ମହିଳା ପ୍ରାର୍ଥୀ। ମୋଟ ପ୍ରାର୍ଥୀଙ୍କ ମାତ୍ର ୧୪ ପ୍ରତିଶତ ହେଉଛନ୍ତି ମହିଳା। ଶିକ୍ଷାଗତ ଯୋଗ୍ଯତାକୁ ଦେଖିଲେ ୨୧୧ ଜଣ ଦଶମ ପାସ କରିଛନ୍ତି । ୨୦୩ ଜଣ ଦ୍ଵାଦଶ ପାସ କରିଥିବା ବେଳେ ୨୭୨ ଜଣ ଗ୍ରାଜୁଏଟ ଓ ୧୮ ଜଣ ଡକ୍ଟରେଟ୍ ପାଇଛନ୍ତି ।
୧୦୪ ଜଣ ଅଷ୍ଟମ ପାସ କରିଥିବା ବେଳେ ୪୮ ଜଣ ପଞ୍ଚମ ପାସ କରିଛନ୍ତି।

୫ ବର୍ଷରେ ଚୌଦ୍ଵାର- କଟକ BJD ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ଵାଳଙ୍କ ସମ୍ପତ୍ତି ପରିମାଣ ସର୍ବାଧିକ ୨୩.୩୮ ଗୁଣା ବଢ଼ିଛି। ୨୦୧୯ରେ ତାଙ୍କର ସମ୍ପତ୍ତି ଥିଲା ୨୦ ଲକ୍ଷ ଟଙ୍କା, ଏବେ ୪ କୋଟି ୮୩ ଲକ୍ଷ। ଏହା ପଛକୁ ସାରଦା ନାୟକଙ୍କ ସମ୍ପତ୍ତି ପରିମାଣ ୮ ଗୁଣା ବଢ଼ିଛି। ୨୦୧୯ରେ ତାଙ୍କର ୧୩ ଲକ୍ଷ ୩୦ ହଜାର ଟଙ୍କା ଥିଲା ବେଳେ ଏବେ ୧ କୋଟି ୭ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଚଳିତ ନିର୍ବାଚନରେ ୪ ଜଣ ବିଧାୟକ ପ୍ରାର୍ଥୀଙ୍କ ବୟସ ୮୦ ବର୍ଷରୁ ଅଧିକ। କେନ୍ଦୁଝର ପାଟଣା କଂଗ୍ରେସ ପ୍ରାର୍ଥୀ ହୃଷିକେଶ ନାୟକ ସବୁଠୁ ବୟସ୍କ ପ୍ରାର୍ଥୀ, ତାଙ୍କ ବୟସ ୮୩ ବର୍ଷ । ନିରଞ୍ଜନ ପଟ୍ଟନାୟକ ୮୧, ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ରଙ୍କ ବୟସ ୮୦ ବର୍ଷ । ଅପରପକ୍ଷେ ୭ ଜଣ ପ୍ରାର୍ଥୀ ଙ୍କ ବୟସ ୨୫ ବର୍ଷ, ଅର୍ଥାତ୍ ଯୋଗ୍ୟତା ହାସଲ ମାତ୍ରେ ପ୍ରାର୍ଥୀ ହୋଇଛନ୍ତି ।