ଦେଶରେ ପୁଣି ଉପରମୁହାଁ ଦୈନିକ ସଂକ୍ରମଣ, ୪୬ ଦିନ ପରେ ୩ ହଜାରରୁ ଅଧିକ ଦୈନିକ କେସ୍‌

ନୂଆଦିଲ୍ଲୀ: ଦେଶରେ ବିଗୁଡ଼ୁଛି କରୋନା ସ୍ଥିତି । ୪୬ ଦିନ ପରେ ପୁଣି ଥରେ ଦେଶରେ ତିନି ହଜାରୁ ଉର୍ଦ୍ଧ୍ବ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛି । ଗୋଟିଏ ଦିନରେ ୩ ହଜାର ୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବେଶି ଚିନ୍ତାଜନକ ହୋଇଛି । ଦିଲ୍ଲୀରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ରହିଛି । ତେବେ ଦିଲ୍ଲୀରେ ବର୍ତ୍ତମାନ ହସ୍ପିଟାଲରେ ବହୁ କମ୍ ସଂଖ୍ୟକ ଆକ୍ରାନ୍ତ ଆଡମିଟ ହେଉଛନ୍ତି । କୋଭିଡ୍ ମୁକାବିଲା ଲାଗି ଦିଲ୍ଲୀରେ ୧୦ହଜାର ବେଡ୍ ପ୍ରସ୍ତୁତ ଥିବା ବେଳେ ମାତ୍ର ଶହେ ବେଡ୍ରେ ରୋଗୀ ଆଡମିଟ ହୋଇଛନ୍ତି ।

ସେପଟେ ବୁଷ୍ଟର ଡୋଜ୍ ଟିକାକରଣକୁ ତ୍ବରାନ୍ବିତ କରିବାକୁ ବ୍ୟବସ୍ଥା ଚାଲିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଶହେଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦ୍ବିତୀୟ ଡୋଜ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଥିବା ବ୍ୟବଧାନ କମ୍ କରିପାରେ । ଏହାକୁ ୯ ମାସରୁ କମାଇ ୬ ମାସ କରାଇ ଦିଆଯାଇପାରେ ବୋଲି ସୂଚନା ମିଳିଛି ।