ପୁରୀ ଜିଲ୍ଲାର ଚାଷୀଙ୍କ ପାଇଁ ‘କାଳିଆ’ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ପିପିଲି ଉପ-ନିର୍ବାଚନ ଲାଗି ଅଟକିଥିଲା

1 min read

ଭୁବନେଶ୍ୱର: ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ କାଳିଆ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧,୬୫,୧୩୧ ଚାଷୀ ପାଇବେ ୩୩କୋଟି ଟଙ୍କାର ସହାୟତା । ।୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀମାନେ ‘କାଳିଆ’ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି । ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩୩.୦୩କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭,୧୨,୯୪୧ ଜଣ ଚାଷୀଙ୍କୁ ୭୪୨.୫୮ କୋଟି ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି । ଚାଷୀମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

ଏଥିସହିତ ପଢ଼ନ୍ତୁ: ଉପ-ନିର୍ବାଚନ ଫଳାଫଳ ପରେ ବିଜେପିକୁ ସତର୍କ କଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ: କହିଲେ, ସତର୍କ ହୁଅ ନଚେତ ଗାଦିରୁ ଯିବ

Leave a Reply