ଘର କାମ ପାଇଁ ଆସିଥିବା ବାଲି ବସ୍ତାରୁ ବାହାରିଲା ୩୩ଟି ନାଗ ମୂର୍ତ୍ତି

ଭଦ୍ରକ: ଅଳାଉତି ଗାଁରେ ଆଧ୍ୟାତ୍ମିକ ପରିବେଶ । ନାଗରାଜଙ୍କ ଦର୍ଶନ ଲାଗି ଜମୁଛି ଭିଡ଼ । ଆଜି ସୋମବାର, ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ଅନ୍ୟପଟେ ଭଦ୍ରକର ଅଳାଉତି ଗାଁରେ ବି ସମାନ ଭିଡ଼ । ଏକାଠି ମିଳିଛି ୩୩ରୁ ଅଧିକ ନାଗ ମୂର୍ତ୍ତି । ଏହି ନାଗ ମୂର୍ତ୍ତିକୁ ଦେଖିବା ଓ ପୂଜାର୍ଚ୍ଚନା ଲାଗି ଗାଁରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

33 Copper Snake Idols Rescued From Sand Bag Bhadrak

ସୂଚନା ଅନୁସାରେ ଅଳାଉତି ଗାଁର ନିରଞ୍ଜନ ଭୂୟାଁ ଘର କାମ ପାଇଁ ହାଇୱା ଟ୍ରକରେ ବାଲି ଆଣଥିଲେ । ତେବେ, ଘର ନିକଟକୁ ଟ୍ରକ୍ ଯିବାକୁ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ବାଲି ଖାଲି କରି ଟ୍ରାକ୍ଟର ଯୋଗେ ଘରକୁ ନେଉଥିଲେ । ଟ୍ରାକ୍ଟରରେ ବାଲି ଲୋଡିଂ ବେଳେ ଏକ ପ୍ଲାଷ୍ଟିକ ଅଖା ମିଳିଥିଲା । ଆଉ ପ୍ଲାଷ୍ଟିକ୍ ବସ୍ତା ଖୋଲିବା ପରେ ସମସ୍ତେ ତାଜୁବ୍ ହୋଇ ଯାଇଥିଲେ ।

33 Copper Snake Idols Rescued From Sand Bag Bhadrak

ବସ୍ତା ଭିତରୁ ୩୩ରୁ ଅଧିକ ନାଗ ମୂର୍ତ୍ତି ବାହାରିଥିଲା । ଯାହାକୁ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ବଢ଼ିଥିବା ବେଳେ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବାଲି ଆଣିଥିବା ନିରଞ୍ଜନ ଭୂୟାଁ ବ୍ରାହ୍ମଣ ସମାଜ ସହ ଯୋଗାଯୋଗ କରିଛନ୍ତି । ଆବଶ୍ୟକୀୟ ପରାମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ତେବେ ବାଲି କେଉଁ ସ୍ଥାନରୁ ଆସୁଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Leave a Reply