ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ

କୋଲକାତା: ଭାରତର ଦମଦାର ବ୍ୟାଟିଂ । ଇଡେନ ଗାର୍ଡେନରେ ଭାରତର ବଡ଼ ସ୍କୋର । ୩୨୬ ରନ ସଂଗ୍ରହ କଲା ଭାରତ । ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ । ବିରାଟ କୋହଲିଙ୍କ ଦମଦାର ଶତକ ସାଙ୍ଗକୁ ଶ୍ରେୟସ ଆୟାର ଅର୍ଦ୍ଧଶତକୀୟ ପାଳି ବଳରେ ଦଳ ଏହି ସ୍କୋର କରିପାରିଛି । ସୁପର ସନଡେରେ ସୁପର ଫାଇଟ୍ । ଜନ୍ମଦିନରେ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ବିରାଟ କୋହଲି । ୪୯ ତମ ଶତକ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ । ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ମହାଲଢ଼େଇ । ଇଡେନ୍ ଗାର୍ଡେନରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଉଭୟ ଦଳ ଏବେ ସେମିଫାନାଲରେ ପ୍ରବେଶ କରିସାରିଛନ୍ତି । ରୋହିତ ଶର୍ମା ୨୪ ବଲରେ ୪୦ ରନ କରିଥିବାବେଳେ ଶୁବମନ ଗିଲ ୨୩ ରନ କରି କେଶବ ମହାରାଜଙ୍କ ଶିକାର ହୋଇଥିଲେ । ତେବେ ଶ୍ରେୟସ ଆୟାରେ ୮୭ ବଲରେ ୭୭ ରନ କରିଥିବାବେଳେ ନେଗିଡିଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲି ଓ ଲୋକେଶ ରାହୁଲ । ୭ଟି ମ୍ୟାଚରୁ ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ୭ଟିରୁ ୬ଟିରେ ବିଜୟଲାଭ କରି ଦ୍ବିତୀୟରେ ରହିଛି ସାଉଥଆଫ୍ରିକା । ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବା ବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବା ବେଳେ, ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛନ୍ତି ।