ଆଗରୁ ବି ହୋଇନଥିଲା ରଥଯାତ୍ରା,ଜାଣନ୍ତୁ କେବେ ଓ କାହିଁକି ଗଡିନଥିଲା କାଳିଆ ରଥ..

ସୁପ୍ରିମକୋର୍ଟ ଆଜି ଚଳିତ ବର୍ଷ ରଥଯାତ୍ରା ଆୟୋଜନ ନକରିବା ପାଇଁ ଆଦେଶ ଦେଇଛନ୍ତି । ଜନହିତ ଦୃଷ୍ଟିରୁ କରୋନା ମହାମାରୀ କାଳରେ ରଥଯାତ୍ରା ଆୟୋଜନ କରାଯିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ କହିଥିଲେ ଯେ, ରଥଯାତ୍ରା ପାଇଁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ତେବେ ଇତିହାସରେ ପ୍ରଥମ ଥର ପାଇଁ ଏମିତି ହେଉନାହିଁ  । ଆଗରୁ ଅନେକ ଥର ମଧ୍ୟ ରଥଯାତ୍ରା ଆୟୋଜିତ ହୋଇନାହିଁ ।

ମଧ୍ୟଯୁଗ ଓ ମୋଗଲ କାଳୀନ ଭାରତରେ ରଥଯାତ୍ରା ଅନେକ ଥର ବନ୍ଦ ରହିଥିଲା । ବଙ୍ଗର ଆଫଗାନ୍ ଶାସକ ଓ ପରେ ଦିଲ୍ଲୀର ମୋଗଲ ଶାସକ ସବୁବେଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଟାର୍ଗେଟ୍ କରି ଆସୁଥିଲେ । ସେମାନେ ମନ୍ଦିର ଉପରେ ଆକ୍ରମଣ କରିବା ସହ ଲୁଟପାଟ୍ କରୁଥିଲେ । ତେଣୁ ଅନେକ ଥର ଭଗବାନଙ୍କୁ ଲୁଚାଇ ରଖାଯାଇଥିଲା । ଏହି କାରଣରୁ ଅନେକ ଥର ରଥଯାତ୍ରା ଆୟୋଜିତ ହୋଇ ପାରିନଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରାୟ ୪୫୨ ବର୍ଷର ଇତିହାସରେ ୩୨ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା | ଆସନ୍ତୁ ନଜର ପକାଇବା କେବେ କେବେ ଓ କାହା ପାଇଁ ରଥଯାତ୍ରା ଆୟୋଜିତ ହୋଇ ପାରିନଥିଲା ।

କଳାପାହାଡ ପାଇଁ ବର୍ଷ ବନ୍ଦ ଥିଲା ରଥଯାତ୍ରା

୧୫୬୮ ଖ୍ରୀଷ୍ଟାଦ୍ଦରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ଚିଲିକା ନିକଟରେ ଥିବା ଛପଲ୍ଲୀ ନାମକ ଏକ ସ୍ଥାନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲୁଚାଇ  ରଖାଯାଇଥିଲା କିନ୍ତୁ କଳାପାହାଡ଼ ଖବର ପାଇ ସେଠାରୁ ବିଗ୍ରହମାନଙ୍କୁ ଆଣି ଅଗ୍ନି ସଂଯୋଗ କରି ଗଙ୍ଗା ନଦିରେ ଭସାଇ ଦେଇଥିଲା ଏବଂ ଜନୈକ ବୌଷ୍ଣବ ବିଶର ମହାନ୍ତି ସେହି ଅର୍ଦ୍ଧଦଗ୍ଧ କଳେବରରୁ ବ୍ରହ୍ଣ ସଂଗ୍ରହ କରି ପୂଜାର୍ଚ୍ଚନା କରୁଥିଲେ | ସୁତରାଂ ଏହି ସମୟ ସୀମା ମଧ୍ୟରେ ୧୫୬୮ ଖ୍ରୀ.ଅ.ରୁ ୧୫୭୭ ଖ୍ରୀ. ପର୍ଯ୍ୟନ୍ତ ୯ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା |

ମିର୍ଜା ଖୁରମ୍ ପାଇଁ ବନ୍ଦ ହୋଇଥିଲା ଯାତ୍ରା

୧୬୦୧ ଖ୍ରୀଷ୍ଟାଦ୍ଦରେ ମିର୍ଜା ଖୁରୁମର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ଯ଼ାହାଦ୍ୱାରା ପୁରୀଠାରୁ ୧୪ କିଲୋମିଟର ଦୂରରେ ଥିବା କପିଳେଶ୍ୱରପୁର ଶାସନ ଗ୍ରାମର ପଞ୍ଚମୁଖୀ ଗୋସାଣୀ ମନ୍ଦିରଠାରେ ବିଗ୍ରହମାନଙ୍କୁ ଅବସ୍ଥାନ କରାଯାଇଥିଲା ପରେ ସେଠାରେ ଦୋଳଯାତ୍ରା ହେବା ପରେ ଭାର୍ଗବୀ ନଦୀର ପେଣ୍ଠକୁ ଆସି ଶ୍ରୀବିଗ୍ରହମାନେ ଚାପ ଉପରେ ଆଠମାସ ଧରି ବିଜେ କରିଥିଲେ ଏହାଯୋଗୁଁ ସେଇ ବର୍ଷ ରଥଯାତ୍ରା ହୋଇପାରିନଥିଲା |

ସୁବେଦାର ହାସିମ ଖାଁର ପୁରୀ ଆକ୍ରମଣ

୧୬୦୭ ଖ୍ରୀଷ୍ଟାଦ୍ଦରେ ସୁବେଦାର ହାସିମ ଖାଁଙ୍କ ପୁରୀର ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁଁ ଶ୍ରୀମନ୍ଦିରରୁ ଠାକୁରମାନଙ୍କୁ ସ୍ଥାନାନ୍ତର କରାଯାଇ ଖୋର୍ଦ୍ଦାଗଡ଼ର ଗୋପାଳଜୀଉ ମନ୍ଦିରରେ ଅବସ୍ଥାନ କରାଯାଇଥିଲା | ଏକ ବର୍ଷ ପରେ ଠାକୁରମାନଙ୍କୁ ୧୬୦୮ ଖ୍ରୀଷ୍ଟାଦ୍ଦରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା  । ତେଣୁ ସେହି ବର୍ଷ ରଥଯାତ୍ରା ହୋଇପାରିନଥିଲା |

ଜଣେ ହିନ୍ଦୁ ଯେତେବେଳେ ପାଲଟିଲା ଜଗନ୍ନାଥଙ୍କ ଶତ୍ରୁ

୧୬୧୧ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥଲା ଫଳରେ ବିଗ୍ରହମାନଙ୍କୁ ଜଳପଥରେ ଚିଲିକାର ଚିକାନାସୀକୁ ସ୍ଥାନାନ୍ତର କରଯାଇଥଲା ଏହାଦ୍ୱାରା ସେ ବର୍ଷ ରଥଯାତ୍ରା ହୋଇପାରିନଥିଲା | ସେହିପରି କଲ୍ୟାଣ ମଲ୍ଲର ପୂନଃର୍ବାର ଆକ୍ରମଣ କରିଥଲା ଏହା ଯୋଗୁଁ ଠାକୁରମାନଙ୍କୁ ଚିଲିକାର ଗୁରୁବାଈଗଡ଼କୁ ସ୍ଥାନାନ୍ତର କରାଯାଇଥଲା ସେହି ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା |

ଅନ୍ଧାରିଗଡରେ ଗୋପନବାସ

୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ଅହମ୍ମଦ ବେଗଙ୍କ ଶ୍ରୀମନ୍ଦିର ଉପରେ ଆକ୍ରଣମ ଫଳରେ ଠାକୁରମାନଙ୍କୁ ବାଣପୁର ମାଳ ଅଞ୍ଚଲର ଅନ୍ଧାରିଗଡ଼କୁ ସ୍ଥନାନ୍ତର କରାଯାଇଥିଲା ସେଠାରୁ ବ୍ରହ୍ମ ପଦାର୍ଥଙ୍କୁ ଗୋପନରେ ଆଣି ମୂର୍ତ୍ତି ନିର୍ମାଣ ଓ ବ୍ରହ୍ମପଦାର୍ଥ ସଂସ୍ଥାପନ କରଯାଇଥଲା ଏଥିପାଇଁ ୨ ବର୍ଷ ରଥଯାତ୍ରା ବନ୍ଦ ରହିଥିଲା |

ଏକରାମ ଖାଁ ପାଇଁ ୧୩ ବର୍ଷ ବନ୍ଦ ହୋଇଥିଲା ରଥଯାତ୍ରା

୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବେଦାର ଏକରାମ ଖାଁ ଶ୍ରୀନ୍ଦିର ଉପରେ ଆକ୍ରମଣ କରିଥିଲା ଫଳରେ ଠାକୁରମାନଙ୍କୁ ବିମଳା ମନ୍ଦିର ଓ ଚିଲିକା ସ୍ଥିତ ଗଡ଼କୋକଲ ଗ୍ରାମରେ ଅଳ୍ପ ଦିନ ପାଇଁ ରଖାଯାଇଥିଲା ପରେ ସେଠାରୁ ନେଇ ବାଣପୁର ହନ୍ତୁଆଡ଼ ଗ୍ରାମରେ ରଖାଯାଇଥିଲା ଏହି ସମୟରେ ପ୍ରାୟ ୧୩ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା

ମହମ୍ମଦ ତକି ଖାଁ ପାଇଁ ହୋଇନଥିଲା ଘୋଷଯାତ୍ରା

ଏହିପରି ୧୭୩୧ ଓ ୧୭୩୩ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥଲା ଯାହାଦ୍ୱାରା ଶ୍ରୀବିଗ୍ରହମାନେ ଗୋପନରେ ବିରାଜମାନ କରିବା ସହିତ ସେମାନଙ୍କର ସେବାପୂଜା କରାଯାଇଥିଲା କିନ୍ତୁ ରଥଯାତ୍ରା ହୋଇପାରିନଥିଲା | କୁହାଯାଏ ଯେ ୧୭୩୩, ୧୭୩୪ ଓ ୧୭୩୫ ତିନିବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲା ପରେ ୧୭୩୬ ମସିହା ମେ ମାସରେ ଶ୍ରୀମନ୍ଦିରକୁ ଠାକୁରମାନେ ବିଜେ କରିଥିଲେ ଏବଂ ସେହି ବର୍ଷ ହିଁ ଅତି ଆନନ୍ଦର ଭାବେ ରଥଯାତ୍ରା ହୋଇଥିଲା

 

 

Leave a Reply