ବିଲୁପ୍ତ ହେବାକୁ ବସିଲେଣି ୩୧ ହଜାର ପ୍ରଜାତିର ଜୀବ: ବିପଦସଙ୍କୁଳ ଅବସ୍ଥାରେ ୧ ଲକ୍ଷ ୬୬ ହଜାର ଉଦ୍ଭିଦ ଓ ପ୍ରାଣୀ
1 min read
ଭୁବନେଶ୍ବର: ବିପଦରେ ବନ୍ୟଜନ୍ତୁ । ସାରା ଦୁନିଆରେ ୧ ଲକ୍ଷ ୬୬ ହଜାର ଉଦ୍ଭିଦ ଓ ଜନ୍ତୁ ବିପଦରେ । ଭାରତରେ ୯୫୦ ପ୍ରଜାତିର ଜୀବଜନ୍ତୁ ବିଲୁପ୍ତ ହେଲେଣି । ମଣିଷ-ପଶୁ ଲଢେଇ ଓ ପରିବେଶରେ ଅଯଥା ହସ୍ତକ୍ଷେପ ଯୋଗୁଁ ସ୍ଥିତି ବିଗିଡ଼ି ଗଲାଣି । ଏଭଳି ସ୍ଥିତିରେ ସମସ୍ତଙ୍କୁ ଚମକାଇ ଦେଇଛି ପ୍ରକୃତିର ସଂରକ୍ଷଣ ପାଇଁ କାମ କରୁଥିବା ଆଇୟୁସିଏନ ରିପୋର୍ଟ । ବିଲୁପ୍ତ ହେବାକୁ ବସିଥିବା ଜୀବଜନ୍ତୁଙ୍କ ରେଡ ଡାଟାବେସକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶ ଓ ବନ୍ୟଜନ୍ତୁ ବିଶେଷଜ୍ଞ । ଏହାର ପ୍ରତିକାର ପାଇଁ କଡ଼ା ଆଇନ ସାଙ୍ଗକୁ ଜଙ୍ଗଲ ନିକଟରେ ବସବାସ କରୁଥିବା ସ୍ଥାନୀୟ ଲୋକଙ୍କୁ ବିଶ୍ବାସକୁ ନେଇ କାମ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି ।
ବିଭିନ୍ନ ରୋଗର ପ୍ରତିକାର କରୁଥିବା ଶାଗୁଣା ଏବେ ବିଲୁପ୍ତ ଅବସ୍ଥାରେ । ବିଲୁପ୍ତ ହେବାକୁ ବସିଛନ୍ତି ୩୧ ହଜାର ପ୍ରଜାତିର ଜନ୍ତୁ । ସାରା ଦୁନିଆରେ ଥିବା ବନ୍ୟଜନ୍ତୁର ଏହା ୨୭ ପ୍ରତିଶତ । ଆଇୟୁସିଏନର ରେଡ୍ ଡ଼ାଟା ଲିଷ୍ଟ ଅନୁସାରେ ଏହି ସଂଖ୍ୟା ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି । ବିପଦସଙ୍କୁଳ ଅବସ୍ଥାରେ ୧ ଲକ୍ଷ ୬୬ ହଜାର ଉଦ୍ଭିଦ ଓ ଜନ୍ତୁ । ଏଥିରୁ ୪୬ ହଜାର ୩୦୦ ସଙ୍କଟ ମଧ୍ୟରେ ଅଛନ୍ତି । ପରିବେଶରେ ମାନବ ସମାଜର ଅଯଥା ଓ ଅନଧିକାର ହସ୍ତକ୍ଷେପ ଏହାର ମୁଖ୍ୟ କାରଣ । ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ମିଳିତ ଭାବେ ଆଗକୁ ଆସିବାକୁ ପଡ଼ିବ । ସରକାରୀ କ୍ଷେତ୍ରରେ ସ୍ବତନ୍ତ୍ର ନୀତି ଓ ଫ୍ରେମଓ୍ବାର୍କ କରିବାକୁ ପଡ଼ିବ । ବିଜ୍ଞାନ ପ୍ରଯୁକ୍ତିର ଜ୍ଞାନ କୌଶଳ ବ୍ୟବହାର କରିବା ନିହାତି ଜରୁରୀ । ସର୍ବନିମ୍ନ ୩୦ ପ୍ରତିଶତ ଅଞ୍ଚଳକୁ ଜଙ୍ଗଲ ଭାବେ ସଂରକ୍ଷିତ କରିବାକୁ ପଡ଼ିବ । ଜଙ୍ଗଲ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ପାଇଁ ଜୀବନ ଜୀବିକା ନିଶ୍ଚିତ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି ।
ନଷ୍ଟଭ୍ରଷ୍ଟ ପରିବେଶ ମରୁଭୂମି ସହିତ ସମାନ । ଗ୍ଲୋବାଲ ଓ୍ବାର୍ମିଂ ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ଚିନ୍ତାଜନକ ହେଲାଣି । ଗତ ୨୦ ବର୍ଷରେ ତାପମାତ୍ରା ଦେଢ ଡିଗ୍ରୀ ବଢିଥିବା ବେଳେ, ଏହା ମଣିଷ ସମାଜ ସାଙ୍ଗକୁ ଜୀବଜନ୍ତୁଙ୍କ ପାଇଁ ବଢ଼ାଇଲାଣି ବିପଦ । ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିଛି । କେବଳ ହାତୀ ଓ ବାଘଙ୍କ ସଂଖ୍ୟା ଦେଖି ଖୁସି ହେଲେ ଚଳିବ ନାହିଁ, ପରିବର୍ତ୍ତିତ ସ୍ଥିତିରେ ନୂଆ ନୀତି କରି ଏମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ନଚେତ ପରିବେଶ ସନ୍ତୁଳନ ବିଗିଡ଼ିବା ସହିତ ମଣିଷ ସମାଜ ଓ ବନ୍ୟଜନ୍ତୁଙ୍କ ପାଇଁ ବି ସମସ୍ୟା ବଢିବ । ମଣିଷ-ପଶୁ ଲଢେଇ ରୋକିବାକୁ ସରକାର ଯେଉଁ ଯୋଜନା କରୁଛନ୍ତି, ତାହା ତୃଣମୂଳ ସ୍ତରରେ କିପରି ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ ତା’ଉପରେ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।
ବନ୍ୟଜନ୍ତୁଙ୍କ ବାସସ୍ଥାନ ଆଡ଼କୁ ମଣିଷ ସମାଜର ଲୋଲୁପ ନଜର ଯୋଗୁଁ ଅସୁରକ୍ଷିତ ଅବସ୍ଥାରେ ପଡ଼ିଛନ୍ତି ଜୀବଜନ୍ତୁ । ଆବଶ୍ୟକତାଠାରୁ ଅଧିକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛି ମଣିଷ । ଏଭଳି ସ୍ଥିତିରେ ବ୍ୟାପକ ସଚେତନତା ସହ ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ଜରୁରୀ ହୋଇପଡ଼ିଛି ।