୩୦୦୦ରୁ ଅଧିକ କରୋନା ସଂକ୍ରମିତ ନିଖୋଜ

ବେଙ୍ଗାଲୁରୁ: ଦେଶରେ ଦିନକୁ ଦିନ କରୋନା ପଜିଟିଭ ମାମଲା ବଢୁଥିବା ବେଳେ ପାଖାପାଖି ୩ ହଜାରରୁ ଅଧିକ ସଂକ୍ରମିତ ନିଖୋଜ ହୋଇଥିବା ଖବର ମିଳିଛି । ଯାହା ଏକପ୍ରକାର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ନିକଟରେ ଲକଡାଉନ ଘୋଷଣା କରିଥିବା କର୍ଣ୍ଣାଟକରେ ଘଟିଛି ଏହି ଘଟଣା । ଯାହା ଫଳରେ ବଢ଼ିଛି କରୋନା ସଙ୍କଟ। ବେଙ୍ଗାଳୁରୁ ସହରରୁ ଚିହ୍ନଟ ହୋଇଥିବା ପ୍ରାୟ ୩୦୦୦ ସଂକ୍ରମିତ ବ୍ୟକ୍ତି ଏବେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୋନ୍‌ ସୁଇଚ ଅଫ୍ ଥିବା ବେଳେ ମିଳୁନାହାନ୍ତି କରୋନା ସଂକ୍ରମିତ ।

 

ତେବେ ନିଖୋଜଙ୍କ ପତ୍ତା ଲଗାଇବା ପାଇଁ ପୋଲିସ ସହାୟତା ନେଇଛନ୍ତି ସରକାର । ଗତ କିଛିଦିନ ହେବ ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ନିଖୋଜ ବ୍ୟକ୍ତିଙ୍କ ଯୋଗୁ ଭୂତାଣୁ ସଂକ୍ରମଣ ବ୍ୟାପୁଛି ବୋଲି କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର୍ ଅଶୋକ କହିଛନ୍ତି। ନିଖୋଜ ଲୋକଙ୍କୁ ଠାବ କରିବାକୁ ପୋଲିସ ସନ୍ଧାନ ଚଳାଇଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ୩୯,୦୪୭ ସଂକ୍ରମିତ ହୋଇଥିବା ବେଳେ ୨୨୯ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ବେଙ୍ଗାଲୁରୁ ସହରାଞ୍ଚଳରୁ ୨୨ ହଜାର ୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply