ଦୁଇ ଦିନିଆ ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ବରେ ୩୦୦ ବରିଷ୍ଠ ପୋଲିସ ଅଧିକାରୀ

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ପୁରୀରେ ଜଗନ୍ନାଥ ଦର୍ଶନ ଓ ମହାପ୍ରସାଦ ସେବନ କରିବା ସହିତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେବେ । ମହାମହିମଙ୍କ ଆଗମନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ବିମାନ ବନ୍ଦରରେ ଅବତରଣ କଲା ପରେ ଗାର୍ଡ ଅଫ ଅନର ଦେବା ସହିତ ତାଙ୍କର ଗସ୍ତ ପାଇଁ ଆଜି ହେବ ଫୁଲଡ୍ରେସ ଓ କାରକେଡ ରିହର୍ସଲ ।

ସୁରକ୍ଷା ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ । ଦାୟିତ୍ବରେ ରହିବେ ୩୦୦ ବରିଷ୍ଠ ପୋଲିସ ଅଧିକାରୀ । ବିମାନବନ୍ଦର, ରୁଟ୍ ଲାଇନ ଠାରୁ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । କାଲି ସକାଳ ସାଢେ ୯ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସାଢ଼େ ୧୦ଟାରେ ପୁରୀ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ପୁରୀ ରାଜଭବନକୁ ଯିବେ ।

ଅପରାହ୍ନରେ ଭୁବନେଶ୍ବର ଆସି ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗ ଦେବେ ।