ଜଙ୍ଗଲରେ ପଡ଼ିଛି ୩୦ରୁ ଅଧିକ ବସ୍ତା ପିଡିଏସ୍ ଚାଉଳ

ଉଦଳା: ଗରିବ ଲୋକଙ୍କ ପାଇଁ ଆସୁଛି ପିଡିଏସ୍ ଚାଉଳ । ହେଲେ ସବୁ ଚାଉଳ ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହେଉଛି ବାଟବଣା । ଗରିବଙ୍କ ପେଟକୁ ଲାତ ମାରି ମାଲାମାଲ ହେଉଛନ୍ତି କିଛି ଅସାମାଜିକ ଲୋକ । ଏମିତି ଘଟଣା ଦେଖିବାକୁ ମିଳିଛି ଉଦଳା ଅଞ୍ଚଳରେ । ଜଙ୍ଗଲରେ ପ୍ରାୟ ୩୦ ବସ୍ତା ଚାଉଳ ପଡ଼ିଥିବା ବେଳେ ଜବତ କରିବା ସହ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଛନ୍ତି ଲୋକେ ।

ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ ଚାଉଳ ବସ୍ତା ଲୁଚାଇ ରଖାଯାଇଥିଲା ।  ସକାଳେ ଜଙ୍ଗଲରେ ପିଡିଏସ୍ ଚାଉଳ ବସ୍ତା ଲୁଚା ଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଗ୍ରାମବାସୀ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି ।

ପିଡିଏସ୍ ଚାଉଳ ବସ୍ତାଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଉଳ କେଉଁଠୁ ଆସିଲା ଓ କୁଆଡେ ଯିବାର ଥିଲା ତାହାର ଖୋଳତାଡ ଆରମ୍ଭ କରିଛି ।