ଚାକିରି ପାଇଁ ଆସି ରାଉରକେଲାରେ ବନ୍ଦ ଘରେ ଫସିଛନ୍ତି ୩୦ ଯୁବତୀ !

ରାଉରକେଲା: ଦଲାଲଙ୍କ କବଜାରେ ଯୁବତୀ, ଲୋଭ ଚାକିରି । ସ୍ପଞ୍ଜ କାରାଖାନାରେ ଚାକିରି ନାଁରେ ଠକେଇର ଘଟଣା ପଦାକୁ ଆସିଛି । ରାଉରକେଲା କଲୁଙ୍ଗା ଅଞ୍ଚଳର ଏକ ସ୍ପଞ୍ଜ କାରାଖାନାରେ ଚାକିରି ଦେବାକୁ କହି ଦଲାଲ ଭଦ୍ରକ ଅଞ୍ଚଳରୁ ଆଣିଥିଲା । ଯୁବତୀମାନଙ୍କ ଠାରୁ ଦଲାଲ ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ମାସେରୁ ଅଧିକ ସମୟ ହେଲା ୩୦ରୁ ଅଧିକ ଯୁବତୀଙ୍କୁ ଦଲାଲ ଆଣିଥିବା ବେଳେ ସେମାନଙ୍କୁ ୨ଟି କୋଠରୀରେ ବନ୍ଦ କରି ରଖାଯାଇଛି ।
କାହାରିକୁ ମୋବାଇଲ ବ୍ୟବହାର ଲାଗି ମଧ୍ୟ ଦିଆଯାଉନାହିଁ । ଦାଣ୍ଡିଆପାଲର ୨ଟି ଘରେ ୩୦ରୁ ଅଧିକ ଯୁବତୀଙ୍କୁ ରଖାଯାଇଥିବା ଅଭିଯୋଗ ହୋଇଛି । ବିଜୁ ଛାତ୍ର ଜନତା ଦଳର କର୍ମୀମାନଙ୍କ ଦ୍ୱାରା ୩ ଜଣ ଯୁବତୀ ଉଦ୍ଧାର ହେବା ପରେ ଏହି ଘଟଣା ସାମନାକୁ ଆସିଛି । ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇନାହିଁ ।