୩୦ ବର୍ଷ ପରେ ସାତକୋଶିଆ ପ୍ରାକୃତିକ ଆବାସ ସ୍ଥଳୀରେ ଜନ୍ମ ନେଇଛନ୍ତି ବିରଳ ଘଡ଼ିଆଳ କୁମ୍ଭୀର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଆସିଲା ଖୁସି ଖବର । ଦୀର୍ଘ ୩୦ ବର୍ଷ ପରେ ପୁଣି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ। ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ଜନ୍ମ ନେଇଛନ୍ତି ବିରଳ ଘଡ଼ିଆଳ କୁମ୍ଭୀର । ଦୀର୍ଘଦିନ ହେବ ବନ୍ଦ ହୋଇ ପଡ଼ିଥିବା ପ୍ରାକୃତିକ ପ୍ରଜନନ କେନ୍ଦ୍ର ଏବେ ପୁଣି ଥରେ ଉଜ୍ଜୀବିତ ହୋଇ ଉଠିଛି । ସୂଚନାଯୋଗ୍ୟ ଯେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଟିକରପଡ଼ା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କୁ ଠାବ କରିଛି ବନବିଭାଗ । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଳଦମରା ନିକଟରେ ମହାନଦୀ କୂଳରେ ଏକ ମାଈ ଘଡ଼ିଆଳ ସହ ପ୍ରାୟ ୨୮ ଟି ଘଡ଼ିଆଳ ଛୁଆଙ୍କୁ ଦେଖିବାକୁ ମିଳିଥିଲା । ଏହା ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇ ସୃଷ୍ଟି ହୋଇଥିବା ଅନୁଗୁଳ ବନମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି । ସେ କହିବା କଥା ଯେ ଏହା ସାତକୋଶିଆ ପାଇଁ ଏକ ଶୁଭ ସଂକେତ ।  ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ହେଲେ ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା । ହେଲେ ପୁଣି ଥରେ ସାତକୋଶିଆକୁ ତାର ପୂର୍ବ ପରିଚୟ ଫେରି ଆସିଛି । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସସ୍ଥଳୀରେ ଏତେ ସଂଖ୍ୟକ ଛୁଆ ଏକା ସାଙ୍ଗରେ ଜନ୍ମ ନେବା କିଛି କମ କଥା ନୁହଁ । ଏମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏବେ ସ୍ୱତନ୍ତ୍ର ଦେଖା ଶୁଣା କରାଯିବ ବୋଲି ଶ୍ରୀ କରାଟେ ସୂଚନା ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସ୍ଥାନାନ୍ତର କାର୍ଯ୍ୟକୁ ବ୍ୟକ୍ତିଗତଭାବେ ତଦାରଖ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ

Leave a Reply