ତିତ୍‌ଲି ବାତ୍ୟା ପ୍ରପିଡ଼ିତଙ୍କୁ ପ୍ରଶାସନ ଦେଇଥିଲା ଅନେକ ପ୍ରତିଶ୍ରୁତି, ହେଲେ ଏଯାଏଁ ଦୁର୍ଦଶାରେ ଦିନ କଟୁଛି…

Gajapati titli Affected

ପାରଳାଖେମୁଣ୍ଡି: (ସରୋଜ ବୀର): ତିତ୍‌ଲି ଆସିଲା, ପାହାଡ଼ ଧସିଲା, ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନେକ କ୍ଷୟକ୍ଷତି ବି ହେଲା । ସର୍ବସ୍ୱାନ୍ତ ହୋଇଗଲେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ତାଳମଣ୍ଡା ଗ୍ରାମବାସୀ । ପାହାଡ଼ ଉପରେ ବାସ କରୁଥିବା ଅନେକ ଲୋକଙ୍କୁ ସରକାରଙ୍କ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଘରଠାରୁ ଆରମ୍ଭ କରି ସମସ୍ତ ସହାୟତା ଦେବାକୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା ।

ବାତ୍ୟାରେ ପାହାଡ଼ ଧସି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ଅନେକ ଘର ଭାଙ୍ଗିଥିଲା । ପରେ ୩୦ରୁ ଅଧିକ କ୍ଷତିଗ୍ରସ୍ତ ପରିବାରକୁ ଥଇଥାନ ପାଇଁ ଚିହ୍ନଟ କରିଥିଲା ପ୍ରଶାସନ । ଚିହ୍ନଟ ଜାଗାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବାରୁ କିଛି ଲୋକ ନିଜ ଟଙ୍କାରେ ଘର ନିର୍ମାଣ ଆରମ୍ଭ କରିଥିଲେ । ହେଲେ ବାତ୍ୟାର ତାଣ୍ଡବକୁ ଅନେକ ବର୍ଷ  ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ମଧ୍ୟ ମିଳି ନାହିଁ । ନିୟମ ଅନୁଯାୟୀ କାର୍ଯ୍ୟାଦେଶର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ନିର୍ମାଣ ନେହେଲେ ସମସ୍ତ କାଗଜପତ୍ର ନାକଚ ହୋଇଯିବ । ଏନେଇ ସଂପୃକ୍ତ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି ।

ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କ୍ଷତିଗ୍ରସ୍ତ ଲୋକଙ୍କୁ ସୁବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଆଜିବି ବିପଦପୂର୍ଣ୍ଣ ଭାବେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଲୋକ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ଗଜପତି ଜିଲ୍ଲାପାଳ କହିଛନ୍ତି, ଥଇଥାନ ସ୍ଥାନ ନେଇ ଦ୍ୱନ୍ଦ୍ୱ ଥିବାରୁ ଗୃହ ନିର୍ମାଣ ବିଳମ୍ବ ହୋଇଛି । ହେଲେ ସେମାନଙ୍କ ଅର୍ଥ ସେମାନେ ନିଶ୍ଚିତ ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply