ଉତ୍ତରାଖଣ୍ଡରେ ବର୍ଷା ଆଣିଛି ବିପର୍ଯ୍ୟୟ: ୩୦ ଟିପିଲାଣି ମୃତ୍ୟୁ ସଂଖ୍ୟା, ମୃତଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା
1 min readଧର୍ମଶାଳା: ଦେବଭୂମି ଉପରେ ପ୍ରକୃତିର କୋପ । ବର୍ଷା, ବନ୍ୟା ଓ ଭୂସ୍ଖଳନ ଫଳରେ ଉତ୍ତରାଖଣ୍ଡରେ ସ୍ଥିତି ଗମ୍ଭୀର । ମୃତ୍ୟ ସଂଖ୍ୟା ୩୦ ଟପିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ସମସ୍ତ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।
NDRF ଓ SDRF ଟିମ୍ ତୟାର ରହିଛନ୍ତି । ରିଲିଫ୍ କାର୍ଯ୍ୟ ଓ ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସହାୟତା ନିଆଯାଇଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନୈନିତାଲ ଜିଲ୍ଲା । ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ସେହିଭଳି ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଛି ।
ନୈନିତାଲ ସହ ଅନ୍ୟ ଜିଲ୍ଲାର ହଜାର ହଜାର ଲୋକ ମଧ୍ୟ ପ୍ରାଭାବିତ ହୋଇଛନ୍ତି । ଜାତୀୟ ରାଜପଥରେ ଫସି ରହିଛି ଅନେକ ଗାଡି । ସେପଟେ ରାଜ୍ୟର ପ୍ରମୁଖ ନଦୀରେ ବନ୍ୟା ଆସିଛି । ଯାହାଫଳରେ ଦୁର୍ଦ୍ଦଶା ଦ୍ୱି ଗୁଣିତ ହୋଇଯାଇଛି । ବନ୍ୟା ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ସରକାର ।