ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ ଅଭିଯୋଗ

ବିଜାପୁର: ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ । ବିଜାପୁରରେ ପୁଣି ଅପହରଣ ଅଭିଯୋଗ । ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ଛାଡ଼ିବାର ଦିନକ ପରେ ୩ଜଣ ମହିଳା ସ୍ୱା ସ୍ଥ୍ୟକର୍ମୀଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଅଞ୍ଚଳରୁ ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ହାତ ବନ୍ଧି ଅପହରଣ ନେଇଥିବା ସୂଚନା। ମଷ୍ଟେର ଟ୍ରେନର ଶାରଦା ସମେତ ୩ ମହିଳା ଅପହରଣ ହୋଇଥିବା ସୂଚନା । ଏନେଇ ଏସପି କୋମଲଚନ କଶ୍ୟପ ସୂଚନା ଦେଇଛନ୍ତି ।

ଗୁରୁବାର ୫ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଥିଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ । ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଛାଡିଥିଲେ ମାଓବାଦୀ । ସେଠାରୁ ଅନ୍ୟ ଯବାନମାନେ ବାଇକରେ ସୁରକ୍ଷିତ ଆଣି ମେଡିକାଲ ଯାଞ୍ଚ କରିଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ପରେ ତାଙ୍କୁ ସେନା କ୍ୟାମ୍ପକୁ ଅଣାଯାଇଥିଲା । ରାକେଶଙ୍କୁ ମୁକ୍ତି ପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଚୟନ କରାଯାଇଥିଲା । ଧରମପାଲ ସୋନୀ, ତେଲମ ବୋରୀ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ ।

ରାକେଶଙ୍କ ମୁକ୍ତି ପୂର୍ବରୁ ବସିଥିଲା ପ୍ରଜା କୋର୍ଟ । ପ୍ରଜାକୋର୍ଟରେ ରାକେଶଙ୍କୁ ହାଜର କରାଯାଇଥିଲା । ମୁକ୍ତି ନେଇ ଲୋକଙ୍କ ମତାମତ ମଗାଯାଇଥିଲା । ରାକେଶଙ୍କ ମୁକ୍ତି ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ମିଠାବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକ । କୁନି ଝିଅ ବାପା ଫେରି ଆସିବା ଖୁସିରେ ନାଚି ଉଠିଛନ୍ତି । ଛତିଶଗଡ଼ର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ ବେଳେ ୨୨ ଯବାନ ସହିଦ ହୋଇଥିଲେ । ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

Leave a Reply