ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ: ୩ରୁ ୪ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ । ଦୁଇରୁ ତିନି ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨ ଓ ୨୩ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ବିଶେଷ କରି ବଲାଙ୍ଗୀର ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଏନେଇ ଏହି ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖାଦେବ । ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୦ତାରିଖରେ ମଧ୍ୟ ୧୫ ଜିଲ୍ଲାକୁ ଘଡଘଡି ଓ ବର୍ଷା ପାଇଁ ୟେଲୋ ଆଲର୍ଟ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରର କିଛି ଅଂଶ, ସମଗ୍ର ଆଣ୍ଡାମାନ ସାଗର ଏବଂ ନିକୋବର ଦ୍ବୀପପୁଞ୍ଜରେ ସକ୍ରିୟ ହୋଇଛି । ଏହାସହ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେଉଛି । ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୁଳ ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଚଳିତ ବର୍ଷ ୫ଦିନ ପୂର୍ବରୁ ମୌସୁମୀ ସକ୍ରିୟ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ଆଇଏମଡି ।

ଏଥିସହିତ ପଢ଼ନ୍ତୁ: ଆହୁରି ଶକ୍ତିଶାଳୀ ହେବ ଶକ୍ତି ବିଭାଗ; ୫ବର୍ଷରେ ଖର୍ଚ୍ଚ ହେବ ୫ହଜାର ୫ଶହ କୋଟି