୨୯ରୁ ଶ୍ରୀକ୍ଷେତ୍ରରେ ଜମିବ ହବିଷ୍ୟାଳୀଙ୍କ ଭିଡ଼, ପଞ୍ଜିକରଣ କରିଛନ୍ତି ୩ ହଜାର ହବିଷ୍ୟାଳୀ

ପୁରୀ: ଶ୍ରୀକ୍ଷେତ୍ରରେ ଜମିବ ହବିଷ୍ୟାଳୀଙ୍କ ଭିଡ଼ । ରାଇଦାମୋଦର ପୂଜା ସାଙ୍ଗକୁ ସୃଷ୍ଟିହେବ ଆଧ୍ୟାତ୍ମିକ ପରିବେଶ । କୁମାରପୂର୍ଣ୍ଣିମା ଠାରୁ ପୁରୀରେ ଜମା ହେବେ ହବିଷ୍ୟାଳୀ ମାଆ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୩ ହଜାର ହବିଷ୍ୟାଳୀ ପଞ୍ଜିକରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫, ଗଞ୍ଜାମରୁ ୩୮୫ ଓ ନୟାଗଡ଼ ଜିଲ୍ଲାରୁ ୩୧୧ ଜଣ ପଞ୍ଜିକରଣ କରିଛନ୍ତି ।

ସେମାନଙ୍କ ରହଣି, ପୂଜା, ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତ୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥା କରାଯାଇଛି । ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ସମାନଙ୍କ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବେ । ହବିଷ୍ୟାଳୀଙ୍କ ରହଣି ପାଇଁ ସ୍ଥାୟୀ ବୃନ୍ଦାବତୀ ନିବାସ ଓ ଅସ୍ଥାୟୀ ଭାବେ ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ମୋଚିସାହି ସ୍ଥିତ ପୌର କଲ୍ୟାଣ ମଣ୍ଡପ ସହ ବାଗେଡ଼ିଆ ଧର୍ମଶାଳାର ବ୍ୟବସ୍ଥା କରାଯାଇଛି ।

ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ସ୍ବେଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବ । ଏଥିପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।