ପାକିସ୍ତାନ ବାୟୁସେନା ଘାଟିରେ ପଶିଲେ ଆତଙ୍କବାଦୀ, ଏନକାଉଣ୍ଟରରେ ୩ ନିପାତ

ଇସଲାମାବାଦ: ପାକିସ୍ତାନ ବାୟୁସେନା ଘାଟିରେ ଆତ୍ମଘାତୀ ହମଲା । ପଞ୍ଜାବରେ ଅବସ୍ଥିତ ପାକିସ୍ତାନ ଏୟାର ଫୋର୍ସର ମିଆଁଓ୍ବାଲି ଟ୍ରେନିଂ ଏୟାର ବେସରେ ଏହି ହମଲା ହୋଇଛି । ନିରାପତ୍ତା ବାହିନୀର ପାଲଟା ଜବାବରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ଆଜି ଭୋରରେ ୬ ଜଣ ସଶସ୍ତ୍ର ଆତଙ୍କବାଦୀ ଅକସ୍ମାତ ଏୟାରଫୋର୍ସ ବେସରେ ପ୍ରବେଶ କରିଥିଲେ । ପ୍ରତିରୋଧ କରିବା ଲାଗି ନିରାପତ୍ତା ବାହିନୀ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ନିରାପତ୍ତା ବାହିନୀର ତ୍ବରିତ ପଦକ୍ଷେପ ଯୋଗୁ ସେମାନଙ୍କ ମଧ୍ୟରୁ ୩ ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଏଥିରେ ଏୟାରବେସ ବା ଯବାନମାନଙ୍କର କୌଣସି କ୍ଷତି ଘଟି ନଥିବା ସୂଚନା ମିଳିଛି । ଅନ୍ୟ ୩ ଜଣ ଆତଙ୍କାବାଦୀଙ୍କୁ କବଜା କରାଯାଇଛି ।

ତେବେ ଏହି ଘଟଣାରେ ଏୟାରଫୋର୍ସ ବେସରେ ଥିବା ୩ଟି ବିମାନ କ୍ଷତିଗ୍ରସ୍ତ ହୋଇଛି । ଏୟାରବେସ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଛି ଇଣ୍ଟର ସର୍ଭିସ ପବ୍ଲିକ ରିଲେସନସ ବିଭାଗ । ଏହି ହମଲା ତେହରିକ ଇ ଜିହାଦ ପାକିସ୍ତାନ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି ।