ଅଶାନ୍ତ ବିଜେବି କଲେଜ: ୩ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଣଛାତ୍ର

ଭୁବନେଶ୍ବର: କ୍ରିକେଟ୍ ଖେଳକୁ ନେଇ ଅଶାନ୍ତ ବିଜେବି କଲେଜ । କ୍ୟାମ୍ପସରେ ପଶି ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଣଛାତ୍ର । ଗୁରୁତର ଅବସ୍ଥାରେ ୩ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଣ୍ଡା, ବ୍ୟାଟ ସହ ଇଟା, ପଥରରେ ଆକ୍ରମଣ ହୋଇଥିବା ହୋଇଛି ଅଭିଯୋଗ ।

ଆକ୍ରମଣ କରିବା ପରେ ଅଣଛାତ୍ରମାନେ ପାଚେରୀ ଡେଉଁ ପଳାଇ ଯାଇଥିଲେ ।  ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କୁ ଆକ୍ରମଣ ହୋଇଥିବା ସୂଚନା । ଘଟଣାକୁ ନେଇ ୪ ଜଣଙ୍କୁ ଅଟକ ରଖିଛି ବଡଗଡ଼ ପୋଲିସ ।

ଅଭିଯୋଗ ଅନୁସାରେ, ଆଜି କଲେଜ ପଡ଼ିଆରେ କିଛି ଅଣଛାତ୍ର କ୍ରିକେଟ ଖେଳୁଥିଲେ । ଏହି ସମୟରେ ହଷ୍ଟେଲର କିଛି ଛାତ୍ର କ୍ରିକେଟ ଖେଳିବାକୁ ଯାଇଥିଲେ ଓ ଆଉ କେତେ ସମୟ ଲାଗିବ ବୋଲି ଅଣଛାତ୍ରଙ୍କୁ ପଚାରି ଥିଲେ । ଦୁଇ ଓଭର ବାକି ଥିବା କହିବା ସହ ଅଣଛାତ୍ରମାନେ ଖେଳ ଜାରି ରଖିଥିଲେ । ଖେଳ ସରିବା ପରେ ସେମାନେ ହଷ୍ଟେଲ ଛାତ୍ରଙ୍କୁ ଫିଲ୍ଡ ଛାଡିବା ବଦଳରେ ପୁଣି ଥରେ ଖେଳିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଅଣଛାତ୍ରମାନେ ଗ୍ରାଉଣ୍ଡ ଛାଡି ପଳାଇଥିଲେ । ହେଲେ କିଛି ସମୟ ପରେ ପ୍ରାୟ ୩୦ ଜଣ ଅଣଛାତ୍ର ଗ୍ରାଉଣ୍ଡ ଭିତରକୁ ଧସେଇ ପଶିବା ସହ ହଷ୍ଟେଲ ଛାତ୍ରଙ୍କୁ ଘେରାବନ୍ଦୀ କରି ଧାରୁଆ ଅସ୍ତ୍ର ସହ ଇଟା, ପଥରରେ ଆକ୍ରମଣ କରିଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ୪ ଜଣଙ୍କୁ ଅଟକ ରଖିବା ସହ ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତ ଅଣଛାତ୍ରମାନେ କେଉଁ ଅଞ୍ଚଳର ତାହାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ, ସପ୍ତାହେ ପୂର୍ବରୁ କଲେଜର କିଛି ଛାତ୍ର ଅଣଛାତ୍ରଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।