ଜଳଛତ୍ର କେନ୍ଦ୍ର ପାଣିରେ ବିଷ ମିଶାଇଲେ ଦୁର୍ବୃତ୍ତ, ପାଣି ପିଇ ୩ ଅସୁସ୍ଥ

ମାଲାକାନଗିରି: ଜଳଛତ୍ର ମାଠିଆରେ ବିଷ ମିଶାଇଲେ ଦୁର୍ବୁତ୍ତ । ବିଷ ପାଣି ପିଇ ୩ ଗୁରୁତର କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମାଲାକାନଗିରି ଜିଲା ଏମଭି ୭୯ ଥାନା ଶିମିଳିବାଞ୍ଛାର ଏମପିଭି ୪୯ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଜଳଛତ୍ର କେନ୍ଦ୍ରର ମାଠିଆ ପାଣିରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ସେହି ପାଣି ପିଇ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ସମସ୍ତଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଅସୁସ୍ଥମାନେ ହେଲେ ୧୩ ବର୍ଷୀୟ ବିଶାଖା ଗୋଲଗ, ୨୦ ବର୍ଷୀୟ ଦେବବ୍ରତ କୋଏଲ ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ । ଏମପିଭି ୪୯ ଗ୍ରାମ ମୁଖ୍ୟ ଛକଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା । ପୋଲିସ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଜଳଛତ୍ର ମାଠିଆରେ କିଏ ବିଷ ମିଶାଇଛନ୍ତି ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।