ତିନି ଭୁଲ,ଯେଉଁଥିପାଇଁ ଜଲପାଇଗୁଡ଼ିରେ ଘଟିଲା ଭୟଙ୍କର ଟ୍ରେନ୍ ଟ୍ରାଜେଡି

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ଲାଇନ୍ । ଗୋଟିଏ ଦିଗରେ ଦୌଡୁଥିଲେ ଦୁଇଟି ଟ୍ରେନ୍ । ଆଉ ଘଟିଲା ଭୟଙ୍କର ଦୁର୍ଘଟଣା । ଜଲପାଇଗୁଡି ଟ୍ରେନ୍ ଟ୍ରାଜେଡ଼ି ବାହନଗାକୁ ଦୋହରାଇଛି । କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା ? ଧିରେଧିରେ ଏବେ ପୁରାଘଟଣାକ୍ରମ ଉପରୁ ପରଦା ହଟିବାରେ ଲାଗିଛି । ତିନୋଟି ଭୁଲ ପାଇଁ ସୋମବାର ଦିନ ଘଟିଛି ବାହନଗା ପାର୍ଟ୍ ଟୁ । ଏବେ ଆସନ୍ତୁ ଜାଣିବା କ’ଣ ଥିଲା ସେହି ତିନି ମାରାତ୍ମକ ଭୁଲ । ଯାହା ଯଦି ହୋଇନଥାନ୍ତା ତେବେ ଘଟିନଥାନ୍ତା ଏଭଳି ଦୁର୍ଘଟଣା ।

ପ୍ରଥମେ ଦୁର୍ଘଟଣାର ଟାଇମ୍ ଲାଇନ୍ ଉପରେ ନଜର ପକାନ୍ତୁ । ସୋମବାର ସକାଳ ୮.୪୫ ମିନିଟରେ କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଜୋରଦାର ଧକ୍କା ମାରିଥିଲା । ଦୁଇଟି ଯାକ ଟ୍ରେନ୍ ଗୋଟିଏ ଦିଗରେ ଗୋଟିଏ ଟ୍ରାକ୍ ଉପରେ ଦୌଡୁଥିଲେ । ସିଗନାଲ ସମସ୍ୟା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ସିଗନାଲ ଏରର ପାଇଁ ମାଲ ଗାଡ଼ି ସିଧା ଯାଇ କାଞ୍ଚନଜଙ୍ଘା ଏକ୍ସପ୍ରେସ ସହ ଧକ୍କା ଖାଇଥିଲା । ସମାନ ଭୁଲ ବାହନଗାରେ ମଧ୍ୟ ହୋଇଥିଲା । ସିଗନାଲ ଫେଲ୍ୟୁର ବାରମ୍ବାର ଭାରତୀୟ ରେଳବାଇକୁ ଫେଲ୍ କରି ଆସୁଛି ।

ଭାରତୀୟ ରେଳବାଇର ନିର୍ଦ୍ଦେଶ ଅନୁସାରେ ଉତ୍ତର ବଙ୍ଗଳାରୁ କୋଲକତା ଯାଉଥିବା ଟ୍ରେନଗୁଡି଼କୁ ପ୍ରାଥମିକତା ଦିଆଯାଏ । ଜଲପାଇଗୁଡ଼ିରେ ଯେଉଁ ସ୍ଥାନରେ ଦୁର୍ଘଟଣା ହୋଇଛି,ସେହି ଟ୍ରାକରୁ ପ୍ରଥମେ କୋଲକତା ଯିବାକୁ ଥିବା ଟ୍ରେନକୁ ଛଡ଼ାଯାଏ । କୋଲକତାଗାମୀ ଟ୍ରେନ୍ ଯାଉଥିବା ବେଳେ ସେହି ଟ୍ରାକରେ ଅନ୍ୟକୌଣସି ଟ୍ରେନକୁ ଯିବାକୁ ଦିଆଯାଏ ନାହିଁ । ତେବେ ପ୍ରଥମ ଭୁଲ ଏହିଠାରେ ହିଁ ହୋଇଥିଲା । ଟ୍ରାକରେ କାଂଚନଜଙ୍ଘା ଯାଉଥିବା ବେଳେ ମାଲଗାଡ଼ିକୁ କେମିତି ଯିବାକୁ ଦିଆଗଲା ତାହ ହେଉଛି ବଡ଼ ପ୍ରଶ୍ନ । ଏଭଳି ପରିସ୍ଥିତିରେ ମାଲଗାଡ଼ି ଦ୍ୱିତୀୟ ଟ୍ରାକରେ ଯିବାର ଥିଲା । ଦୁର୍ଘଟଣାର ସବୁଠାରୁ ବଡ଼ କାରଣ ଭାବେ ଏହାକୁ ଗଣାଯାଉଛି ।

ଦ୍ୱିତୀୟ ଭୁଲ ହେଉଛି ମାଲଗାଡ଼ି ଓଭରଲୋଡ୍ ସହିତ ଓଭର ସ୍ପିଡ୍ ଥିଲା । ନିର୍ଧାରିତ ବେଗରୁ ଅଧିକ ବେଗରେ ଏହା ଟ୍ରାକ୍ ଉପରେ ଦୌଡୁଥିଲା । ଅନ୍ୟପକ୍ଷରେ କାଂଚନଜଙ୍ଘାର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଥିଲା । ଏହି କାରଣରୁ ମାଲଗାଡ଼ି,କାଂଚନଜଙ୍ଘାକୁ ଧକ୍କା ଦେବା କ୍ଷଣି ଦୁଇଟି ବଗି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ଓ ଗୋଟିଏ ସାମ୍ନା ବଗି ଉପରେ ଚଢି ଯାଇଥିଲା ।
ତୃତୀୟ ଭୁଲ ହେଉଛି,କାଂଚନଜଙ୍ଘା ଏକ୍ସପ୍ରେସ୍ ଓ ମାଲଗାଡି ଗୋଟିଏ ଟ୍ରାକରେ ଯାଉଥିବା ବାବଦରେ ଖବର ରେଳକର୍ମଚାରୀଙ୍କ ପାଖରେ ନଥିଲା କି ?