ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ୩ ମୃତ

ୱାସିଂଟନ ଡିସି: ଆମେରିକାରେ ପୁଣି ବନ୍ଧୁକ ଆତଙ୍କ । ବିବାଦୀୟ ଗନ୍‌ ଲ’ ଯୋଗୁ ବଢୁଛି ଗଣହତ୍ୟା ।  ଆମେରିକାରେ ଲଗାତାର ଦ୍ୱିତୀୟ ଦିନରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ଇଣ୍ଡିଆନାରେ ଗୁଳିମାଡ କାରଣରୁ ୩ ଜଣଙ୍କୁ ମୃତ୍ୟୁ ହୋଇଯାଇଛି । ଗ୍ୟାରି ଇଣ୍ଡିଆନାର ବ୍ଲକ ପାର୍ଟିରେ ଏହି ଦୁର୍ଘଟଣା ଘଟିଛି । ଆକ୍ରମଣକାରୀ ୧୦ ଜଣଙ୍କ ଉପରକୁ ଗୁଳି ମାଡ଼ କରିଛି । ୩ଜଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲ ପଠାଇବା ସହ ଆକ୍ରମଣକାରୀକୁ ଖୋଜୁଛି  ।

ଆମେରିକାରେ ଫାଇରିଙ୍ଗ କୌଣସି ନୂଆ କଥା ନୁହେଁ  । ଗୋଟେ ଦିନ ପୂର୍ବରୁ ସୋମବାର ଫ୍ରିଡମ ଡେ ପରେଡ ବେଳେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ପୁରା ଦେଶରେ ସ୍ବାଧୀନତା ଦିବସ ଉତ୍ସବ ଚାଲିଥିବା ବେଳେ ଆତଙ୍କ ରଚିଥିଲା ଆତତାୟୀ । ଚିକାଗୋ ହାଇଲ୍ୟାଣ୍ଡ ପାର୍କ ନିକଟରେ ୨ଶହ ରାଉଣ୍ଡ ଗୁଳି ଚଳାଇଥିଲା ୨୨ ବର୍ଷୀୟ ରବର୍ଟ ଇ. କ୍ରିମୋ । ହାତରେ ହାଇ ପାଓ୍ବାର ରାଇଫଲ ଧରି ଆତଙ୍କ ରଚାଇଥିଲା ରବର୍ଟ । ଗୁଳିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ଜଣ ଆହତ ହୋଇଛନ୍ତି । ନିକଟସ୍ଥ ଏକ ଘରର ଛାତ ଉପରୁ ପରେଡ ସ୍ଥଳକୁ କ୍ରିମୋ ଫାୟାରିଂ କରିଥିଲା । ଅଭିଯୁକ୍ତ ଯୁବକକୁ ଗିରଫ କରି ହେପାଜତକୁ ନେଇଛି ପୋଲିସ ।

କ୍ରିମୋଠାରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ହଜାର ହଜାର ଲୋକ ଏକାଠି ହୋଇଥିବା ବେଳେ ପ୍ରଚଣ୍ଡ ଗୁଳି ଶବ୍ଦରେ ଥରି ଉଠିଥିଲା ପୁରା ଅଞ୍ଚଳ । ଜୀବନ ବଞ୍ଚାଇବାକୁ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗଥିଲେ । ଫାୟାରିଂ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଗତ କିଛି ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଏଭଳି ଅନେକ ଅଘଟଣ ଘଟିଥିବା ବେଳେ ଏକାଧିକ ଲୋକଙକ ଜୀବନ ଯାଇଛି । ନିକଟରେ ଏକ ସ୍କୁଲରେ ଜଣେ ଯୁବକଙ୍କ ଆଖିବୁଜା ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ବିବାଦୀୟ ବନ୍ଧୁକ ନିୟନ୍ତ୍ରଣ ଆଇନ ଯୋଗୁ ଆମେରିକାରେ ସର୍ବାଧିକ ଗଣ ହତ୍ୟାକାଣ୍ଡ ଘଟୁଛି । ତେବେ ଗନ୍ ଲ ଆଇନରେ କିଛିଟା ପରିବର୍ତ୍ତନ ପାଇଁ ସରକାର ବିଚାର କରୁଛନ୍ତି ।