ଋଣ ବୋଝ ନେଇଗଲା ତିନି ତିନିଟି ନିରୀହ ଜୀବନ

1 min read

ନୀଳଗିରି : ଋଣ ବୋଝ ନେଇଗଲା ତିନି ତିନିଟି ନିରୀହ ଜୀବନ । ଦୁଇ ଦିନରେ ଆଗପଛ ହୋଇ ଜୀବନ ହାରିଲେ ପୁଅ,ବୋହୂ ଓ ବୁଢାବାପା । ପୂରା ପରିବାରକୁ ହରାଇ ଅସହାୟ ହୋଇପଡ଼ିଛନ୍ତି ନାବାଳକ ଭାଇଭଉଣୀ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନା କେ. ପି. ଲାଖରାଜ ପଞ୍ଚାୟତ ଚଣ୍ଡୀପୁର ଗାଁରେ । ମୃତକମାନେ ହେଲେ ୪୫ ବର୍ଷୀୟ ପୁଅ ସ୍ୱରୂପାନନ୍ଦ ଦେବଗୋସ୍ୱାମୀ ଏବଂ ୪୦ ବର୍ଷୀୟା ବୋହୂ ସୁଶ୍ରୀ ସଂଗୀତା ଦେବଗୋସ୍ୱାମୀ ଓ ଜୟକୃଷ୍ଣ ନନ୍ଦ ଦେବଗୋସ୍ୱାମୀ ।

ଅଭିଯୋଗ ଅନୁସାରେ ସ୍ୱରୂପାନନ୍ଦ ଓ ସୁଶ୍ରୀ ସଂଗୀତା ବେସରକାରୀ ସଂସ୍ଥାରୁ ଋଣ ଆଣି ହଲର୍ ଓ ମୁଢ଼ି ଭଜା ମେସିନ ପକାଇ ଗୁଜୁରାଣ ମେଣ୍ଟାଉ ଥିଲେ । ମାତ୍ର ବ୍ଯବସାୟରେ ପ୍ରବଳ କ୍ଷତି ହୋଇଥିଲା । ଫଳରେ ସେମାନେ ଋଣ ସୁଝି ପାରିନଥିଲେ । ଋଣ ପ୍ରଦାନକାରୀ ସଂସ୍ଥା ଋଣ ପରିଶୋଧ ପାଇଁ ବାରମ୍ବାର ଜୁଲମ କରୁଥିଲା । ଶେଷରେ ଲୋକଲଜ୍ୟାକୁ ଡରି ଗତ ବୁଧବାର ରାତିରେ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାପା ଜୟକୃଷ୍ଣ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ କଟକ ଏସସିବି ଓ ପରେ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ଯୁ ହୋଇଥିଲା । ପୁଅ- ବୋହୂଙ୍କ ମୃତ୍ଯୁ ପରେ ଗତକାଲି ସକାଳେ ବାପା ଜୟକୃଷ୍ଣଙ୍କର ମଧ୍ଯ ମୃତ୍ଯୁ ହୋଇଛି ।

ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ସ୍ବରୂପାନନ୍ଦଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୁଅ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଝିଅଟି ଷଷ୍ଠ ଶ୍ରେଣୀରେ ପାଠ ପଢୁଛି । ପୂରା ପରିବାରକୁ ହରାଇବା ପରେ ଏବେ ସେମାନେ ବେସାହାରା ପାଲଟିଯାଇଛନ୍ତି ।