ସମ୍ବଲପୁର କୋର୍ଟ ଭଙ୍ଗାରୁଜା ଘଟଣାରେ ଆଉ ୩ ଓକିଲ ଗିରଫ

1 min read

ସମ୍ବଲପୁର: ସମ୍ବଲପୁରରେ କୋର୍ଟ ଭିତରେ ପଶି ଭଂଗାରୁଜା ଘଟଣାରେ ବଢିଲା ଗିରଫଦାରୀ । ଆଉ ୩ ଓକିଲଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ୨ ମହିଳା ଆଇନଜୀବୀଙ୍କ ସହ ୩ ଜଣଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ପୋଲିସ । ୨ ମହିଳା ଆଇନଜୀବୀ ହେଲେ ବିଷ୍ଣୁପ୍ରିୟା ଭୋଇ ଓ ସେବତୀ ବଂଛୁର । ଆଇନଜୀବୀ ମିଲନ ମହାରଣାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଥିବା ବେଳେ, ଆଗକୁ ସଂଖ୍ୟା ଆହୁରି ବଢିପାରେ ।

ଫେରିଲା ୨୦୧୨ ଜିଲ୍ଲାପାଳ-ଓକିଲ ବିବାଦ

ସେପଟେ ପୁଣି ଫେରିଛି ୨୪ ଏପ୍ରିଲ ୨୦୧୨ର ସମ୍ବଲପୁର ଜିଲ୍ଲାପାଳ-ଓକିଲ ବିବାଦ । କ୍ରାଇମବ୍ରାଞ୍ଚ ଦେଖାଇଛି ତଦନ୍ତରେ ତତ୍ପରତା । କ୍ରାଇମବ୍ରାଞ୍ଚର ଏକ ଟିମ୍ ସମ୍ବଲପୁର ଆସିଥିବା ବେଳେ ଦୁଇ ଜଣ ଆଇନଜୀବୀଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ପୋଲିସ ତରଫରୁ ଜଣାପଡ଼ିଛି । ସୂଚନା ଅନୁସାରେ, ୨୦୧୨ରେ ସମ୍ବଲପୁରରେ ଜମିର ବେଞ୍ଚ ମାର୍କ ଭାଲୁଏସନ ଅନେକ ଗୁଣ ବଢିଥିବାରୁ ଓକିଲ ଆନ୍ଦୋଳନ କରିଥିଲେ । ତତ୍କାଳୀନ ଜିଲ୍ଲାପାଳ ମୃଣାଳିନୀ ଦରସ୍ବାଲ୍ ଘଟଣାସ୍ଥଳକୁ ଯିବା ସମୟରେ ଓକିଲ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା । ୧୦ବର୍ଷ ପରେ ସମ୍ବଲପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ତଦନ୍ତ କରୁଛି । କୋର୍ଟରେ ଓକିଲଙ୍କ ଭଙ୍ଗାରୁଜା ଘଟଣାରେ ଗିରଫ ଓକିଲଙ୍କ ମଧ୍ୟରେ ରହିଛନ୍ତି ୨୦୧୨ରେ ଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିବା କିଛି ଓକିଲ । ସେତେବେଳେ ସେମାନଙ୍କୁ ଗିରଫ କରାଯାଇ ପାରିନଥିଲା । ତେଣୁ ଏବେ ପୂର୍ବ ଘଟଣାରେ ସମ୍ପୃକ୍ତ ୨ ଓକିଲଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି ।