ତିନି ମାସରେ ଯୁଦ୍ଧ: ଋଷର ଅନେକ ମିଲିଟାରୀ ୟୁନିଟକୁ ଧ୍ୱଂସ କରିଛି ୟୁକ୍ରେନ ସୈନ୍ୟ

1 min read

Ukrainian soldiers walk next to destroyed Russians armored vehicles in Boucha, Ukraine, Saturday, April 2, 2022. (AP Photo/Rodrigo Abd)

କିଭ୍: ତିନି ମାସରେ ଋଷ-ୟୁକ୍ରେନ ଓ୍ବାର । ୬୦ ଦିନ ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ବଂସ କରିଛନ୍ତି ଋଷ ସୈନ୍ୟ । ଚାରିଆଡେ ମୃତ୍ୟୁର ହାହାକାର । ମାଟିରୁ ଆକାଶ ସବୁଠି ଋଷ ସେନାର ଆତଙ୍କ । ବଞ୍ଚିବାକୁ ପ୍ରତି ମୂହୁର୍ତ୍ତରେ ସଂଘର୍ଷ କରୁଛି ୟୁକ୍ରେନ । ଯୁଦ୍ଧ ଅପରାଧ ଲୁଚାଇବାକୁ ମାଟି ତଳେ ପୋତା ହୋଇଛି ଅଗଣିତ ଶବ । କେବେ ଥମିବ ଏ ରକ୍ତାକ୍ତ ସଂଘର୍ଷ ? କେବେ ବନ୍ଦ ହେବ ଆକାଶରୁ ମୃତ୍ୟୁ ବର୍ଷା ? ୬୦ଦିନ ଯୁଦ୍ଧ ଭିତରେ ଧ୍ବସ୍ତବିଧ୍ବସ୍ତ ହୋଇଛି ୟୁକ୍ରେନ । ଋଷକୁ ରୋକିବାକୁ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ପଶ୍ଚିମୀ ରାଷ୍ଟ୍ର । ତଥାପି ପଡ଼ିପାରିନି ଯୁଦ୍ଧରେ ଯବନିକା ।

ଯୁଦ୍ଧଗ୍ରସ୍ତ ରାଷ୍ଟ୍ରପାଇଁ ୭ଶହ ମିଲିୟନ ଡଲାରର ପ୍ୟାକେଜ୍ ଘୋଷଣା କରିଛି ଆମେରିକା । ଜେଲେନସ୍କିଙ୍କ ସହ ଆମେରିକାର ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକ ପରେ ପ୍ୟାକେଜ ଘୋଷଣା କରିଛି ହ୍ବାଇଟ ହାଉସ । ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର କିଣିବାକୁ ସେଥିରୁ ୩ଶହ ମିଲିୟନ ଡଲାର ଖର୍ଚ୍ଚ କରିବ ୟୁକ୍ରେନ । ଗତକାଲି ୟୁକ୍ରେନ ରାଜଧାନୀ କିବରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ପ୍ରତିରକ୍ଷା ମନ୍ତ୍ରୀ ଲିଡ ଅଷ୍ଟିନ । କିବରେ ଖୁବଶୀଘ୍ର ଆମେରିକା ଦୂତାବାସ ଖୋଲିବ ବୋଲି ଗତକାଲି ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଛି । ୨୦୧୯ ପରେ ଜଣେ ଆମେରିକୀୟ ପ୍ରତିନିଧି ଏହି ଦୂତାବାସର ପ୍ରତିନିଧିତ୍ବ କରିବେ ।

ସେପଟେ ପୋର୍ଟ ସିଟିରେ ରକ୍ତାକ୍ତ ସଂଘର୍ଷ ଓ ରାଜଧାନୀ କିଭର ସୁରକ୍ଷା ପାଇଁ ୟୁକ୍ରେନ ଆହୁରି ଶକ୍ତିଶାଳୀ ଅସ୍ତ୍ର ଯୋଗାଇବାକୁ ଦାବି କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ବନ୍ଦର ସହର ମାରିୟୁପୋଲ, ଓଡେଶାର ଆବାସିକ ଅଞ୍ଚଳରେ ମିସାଇଲ ହମଲା ଜୋରଦାର କରିଛି ଋଷ । ଓଡ଼େଶାର ଏକ ବିଲ୍ଡିଂରେ ଆକ୍ରମଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ମାରିୟୁପୋଲର ଷ୍ଟିଲ ପ୍ଲାଣ୍ଟ ଓ ଖାରକିବରେ ଜୋରଦାର ସେଲିଂ ଜାରିରହିଛି । ମାରିୟୁପୋଲଠାରେ ଋଷର ଅନେକ ମିଲିଟାରୀ ୟୁନିଟକୁ ୟୁକ୍ରେନ ସେନା ଧ୍ବଂସ କରିଦେଇଛନ୍ତି ବୋଲି ରିପୋର୍ଟ ଦେଇଛି ଆମେରିକାର ସାମରିକ ଗୁଇନ୍ଦା ।