ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

କଟକ: ଓଡିଶା ଉଚ୍ଚ ନ୍ୟାୟାଳୟରେ ଶପଥ ଗ୍ରହଣ କରିଛନ୍ତି ତିନି ନୂଆ ବିଚାରପତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଡକ୍ଟର ଜଷ୍ଟିସ ଏସ ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହାଇକୋର୍ଟର ପୂର୍ବତନ ବିଚାରପତି ସ୍ୱର୍ଗତ ଜଷ୍ଟିସ ଭି.ଗୋପାଳ ସ୍ୱାମୀଙ୍କ ପୁଅ ହେଉଛନ୍ତି ଭି.ନରସିଂହ । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଶତପଥୀ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ହେଉଛନ୍ତି ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ । ସେ ୧୯୮୧ରେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ । ସେହିପରି ୧୯୭୦ ଜୁନ୍ ୮ରେ ଏମ.ଆର.ଭି ରାଓ ଓ ଅନସୂୟା ଦେବୀଙ୍କ ପୁଅ ଭାବେ ମୁରାହରି ଶ୍ରୀରମଣ ଜନ୍ମ ଗ୍ରହଣ କରିଥିଲେ । ଏହି ତିନି ବିଚାରପତିଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ୧୪ରାଣୀଙ୍କ ରାଜା: ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

 

Leave a Reply