ବିଧାନସଭାର ସଦସ୍ୟ ନ ଥାଇ ଏମାନେ ହୋଇଛନ୍ତି ମୁଖ୍ୟମନ୍ତ୍ରୀ, ୩୫ ବର୍ଷ ହେଲା କିଏ ଲଢି ନାହାନ୍ତି…ଜାଣନ୍ତୁ…

1 min read

ନୂଆଦିଲ୍ଲୀ:  ପ୍ରତିନିଧିଟିଏ ହେବାକୁ ହେଲେ ପ୍ରଥମେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବାକୁ ପଡ଼ିବ । ଆଉ ରହିଲା ମୁଖ୍ୟମନ୍ତ୍ରୀତ୍ୱ । ସଂଖ୍ୟାଗରିଷ୍ଠ ଦଳ ଅଥବା ମେଣ୍ଟ ନେତା ନିର୍ବାଚିତ ହେଲେ ହିଁ ଜଣେ ମୁଖ୍ୟମନ୍ତ୍ରୀ ହୋଇଥାଏ । ହେଲେ ଏମିତି ବି ପ୍ରମୁଖ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅଛନ୍ତି, ଯେଉଁମାନେ ସିଧାସଳଖ ନିର୍ବାଚିତ ହୋଇ ନାହାନ୍ତି । ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ପ୍ରତ୍ୟକ୍ଷ ନିର୍ବାଚନରେ ନ ଆସି ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ବିହାର ନିର୍ବାଚନ ଜାରି ରହିଛି । ତେଣୁ ବିହାର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଆପଣମାନଙ୍କ ଆଗ୍ରହ ନିଶ୍ଚୟ ଥିବ । ନୀତିଶ କୁମାର ୧୯୭୭ରେ ପ୍ରଥମେ ବିଧାନସଭା ନିର୍ବାଚନ ଲଢି ହାରିଯାଇଥିଲେ । ପ୍ରଥମଥର ପାଇଁ ୧୯୮୫ରେ ବିଜୟୀ ହୋଇଥିଲେ । ଏହା ପରେ ପ୍ରାୟ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ନୀତିଶ । ସଂସଦର ସଦସ୍ୟ ଥିବା ସମୟରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ନୀତିଶ । ହେଲେ କାହା ଆସନ ଖାଲି କରାଇ ବିଧାନସଭା ନିର୍ବାଚନ ଲଢି ନ ଥିଲେ । ବିଧାନପରିଷଦ ଦ୍ୱାରା ନିର୍ବାଚିତ ହୋଇ ବିହାର ବିଧାନସଭାର ସଦସ୍ୟ ହୋଇ ପାରିଥିଲେ । ଏହି ଧାରା ଏଯାବତ୍ ବଳବତ୍ତର ରଖିଛନ୍ତି ନୀତିଶ ।

୨୦୦୦,୨୦୦୫,୨୦୧୦ ଏବଂ ୨୦୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସମ୍ବିଧାନରେ ଥିବା ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଅଥବା ଅନ୍ୟ କୌଣସି ମନ୍ତ୍ରୀ ହେବା ପାଇଁ ସେହି ରାଜ୍ୟର ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହେବାକୁ ପଡ଼ିବ । କୌଣସି ସଭାର ସଦସ୍ୟ ନ ଥାଇ ନିର୍ବାଚିତ ହେଲେ ୬ ମାସ ମଧ୍ୟରେ ରାଜ୍ୟର ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହେବାରୁ ବାଧ୍ୟ । ଏହା ନ ହୋଇ ପାରିଲେ ମନ୍ତ୍ରୀ ପଦ ଛାଡିବାକୁ ପଡ଼ିବ । ମୋଟ ଉପରେ କହିବାକୁ ଗଲେ ବିହାର ବିଧାନମଣ୍ଡଳର ନେତା ନୀତିଶ କୁମାର ପ୍ରାୟ ୩୫ ବର୍ଷ ହେବ ବିଧାନସଭା ନିର୍ବାଚନ ଲଢି ନାହାନ୍ତି । ଇଏ ତ ଗଲା ନୀତିଶଙ୍କ କଥା । ଏହି ତାଲିକାରେ ୨୦୧୭ରେ ଯୋଡି ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଦିତ୍ୟନାଥ ୧୯୯୮ରୁ ୨୦୧୪ ଯାଏ ଲଗାତର ୫ ଥର ଗୋରଖପୁରରୁ ଏମପିଭାବେ ନିର୍ବାଚିତ ହୋଇ ଆସିଥିଲେ । ୨୦୧୭ରେ ୟୁପିରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଭାବେ ଅବସ୍ଥାପିତ କରାଯାଇଥିଲା । ଏହା ପରେ ସେ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ଲଢି ନ ଥିଲେ । ୟୁପିରେ ବିଧାନ ପରିଷଦର ସଦସ୍ୟ ହୋଇ ଏଯାବତ୍ ମୁଖ୍ୟମନ୍ତ୍ରୀତ୍ୱ ଜାରି ରଖିଛନ୍ତି । ନୀତିଶ ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଛାଡି ଦେଲେ ଉଦ୍ଧବ ଠାକରେ ଏହି ନିଆରା ରାଜନୈତିକ କ୍ଲବର ସଦସ୍ୟ ।

Why CM Yogi Adityanath Is Getting Fail To Manage Uttar Pradesh Law And Order

ମହାରାଷ୍ଟ୍ର ରାଜନୀତିରେ ଠାକରେ ପରିବାର ଦବଦବ୍ବା କାହିଁରେ କେତେ, ବାଲା ସାହେବ ଠାକରେ ନିଜେ ନିର୍ବାଚନ ଲଢୁ ନ ଥିଲେ । ହେଲେ ଶିବସେନା କ୍ଷମତାକୁ ଆସିଲେ ଏହାର ଚାବିକାଠି ତାଙ୍କ ପାଖରେ ହିଁ ରହୁଥିଲା । ସେ ହିଁ ଥିଲେ କ୍ଷମତାର ଏକମାତ୍ର କେନ୍ଦ୍ର । ତାଙ୍କ ପଦାନୁସରଣ କରି ତାଙ୍କ ପୁତ୍ର ଉଦ୍ଧବ ଠାକରେ ଏବଂ ପୁତୁରା ରାଜ ଠାକରେ ମଧ୍ୟ ନିର୍ବାଚନ ଲଢୁ ନଥିଲେ । ହେଲେ ଗତବର୍ଷ ମହାରାଷ୍ଟ୍ର ରାଜନୀତିରେ ଏକାଧିକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

ଉଦ୍ଧବ ନିର୍ବାଚନ ଲଢି ନ ଥିଲେ । ହେଲେ ବାଲାସାହେବଙ୍କ ନାତି ଆଦିତ୍ୟ ଠାକରେ ୱେରଲି ଆସନରୁ ପ୍ରାର୍ଥୀ ହୋଇଥିଲେ । ଏବଂ ବିପୁଳ ବିଜୟ ହାସଲ କରିଥିଲେ । ସେହି ନିର୍ବାଚନ ଜିତି ସେ ହୋଇଥିଲେ ଠାକରେ ପରିବାରର ପ୍ରଥମ ନିର୍ବାଚିତ ଜନ ପ୍ରତିନିଧି । ଘଟଣାକ୍ରମରେ ନିର୍ବାଚନ ପୂର୍ବରୁ ଗଠିତ ହୋଇଥିଲେ ବିଜେପି-ଶିବସେନା ମେଣ୍ଟ ପରବର୍ତ୍ତୀ ସମୟରେ ତିଷ୍ଠି ନ ଥିଲା । କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପି ସହ ମିଶି ଶିବସେନା ଗଠନ କରିଥିଲା ସରକାର । ଆଉ ଉଦ୍ଧବ ହୋଇଥିଲେ ଏହାର ନେତା । ମୁଖ୍ୟମନ୍ତ୍ରୀ ହେବା ସମୟରେ ଉଦ୍ଧବ ମଧ୍ୟ ରାଜ୍ୟ ବିଧାନସଭା କିମ୍ବା ବିଧାନପରିଷଦର ସଦସ୍ୟ ନ ଥିଲେ । ଏହାର ଠିକ୍ ୬ ମାସ ପରେ ପରୋକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୋଇ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ହୋଇଥିଲେ ।

Leave a Reply