ପିଜୁଳି ଖାଇବାକୁ ଯାଇ ଆରପାରିକୁ ଚାଲିଗଲେ ୩ ସାଙ୍ଗ

କୋରାପୁଟ: ମୃତ୍ୟୁକୁ କିଏବା ଦେଖିଛି । ହଠାତ ଆସେ ଏବଂ ଜୀବନ ନେଇ ଚାଲିଯାଏ । ଏମିତି କିଛି ଘଟଣା ଘଟିଛି ୩ ଜଣ ସାଙ୍ଗଙ୍କ ସାଥିରେ । ଘରୁ ହସ ଖୁସିରେ ବାହାରିଥିଲେ ପିଜୁଳି ଖାଇବା ପାଇଁ । ହେଲେ କିଏବା ଜାଣିଥିଲା ପିଜୁଳି ଖାଇବା ତାଙ୍କର ଶେଷ ଖୁସି ହେବ ବୋଲି । ପିଜୁଳି ଖାଇବା ପରେ ପାଖ ପୋଖରୀରେ ଗୋଡ଼ ଧୋଇବା ପାଇଁ ଯାଇଥିଲେ  ତିନି ସାଙ୍ଗ । କିନ୍ତୁ ସେଠାରେ ଜଗି ବସିଥିଲା ଯମ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଅବିଭକ୍ତ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦେବଗନ୍ଦନା ଗାଁରେ । ମୃତକ ମାନେ ହେଉଛନ୍ତି ପୂଜା ଚାମିଲି, ନିକିତା ଦଳପତି, ସନ୍ତୋଷୀ ପାତ୍ର । ଏ ସମସ୍ତଙ୍କର ବୟସ ହେଉଛି ମାତ୍ର ୧୧ ବର୍ଷ । ମୃତକ ୩ ଜଣ ୫ମ ଶ୍ରେଣୀରେ ପାଠ ପଢ଼ୁଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଦ୍ୱିପ୍ରହରରେ ୩ ଜଣ ସାଙ୍ଗ ପିଜୁଳି ଖାଇବା ପଇଁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକ ଅନେକ ଖୋଜାଖୋଜି କରିଥିଲେ । ତେବେ ଆଜି ବନ୍ଧ ଉପରେ ୩ ଜଣଙ୍କର ଚପଲ ଦେଖି ଗାଁ ଲୋକେ ନନ୍ଦପୁର ଥାନା ପୋଲିସକୁ ଖବର ଦେଇଥିଲେ । ପରବର୍ତ୍ତୀ ସମୟରେ ବିଲରେ ଥିବା ଏକ ପୋଖରୀରୁ ୩ ଜଣଙ୍କର ମୃତ ଦେଖକୁ ଉଦ୍ଧାର କରିଥିଲା ପୋଲିସ ।

ତେବେ ପିଜୁଳି ଗଛରୁ ତୋଳିସାରି ଗୋଡ଼ ଧୋଇବାକୁ ଯାଇ ପାଣିରେ ବୁଡ଼ିଯାଇଥିବା ଲୋକେ ସନ୍ଦେହ କରୁଛନ୍ତି । ସେପଟେ ଘଟଣା ସ୍ଥଳରେ କୋରାପୁଟ ବିଧାୟକ ପହଞ୍ଚି ରେଡ୍‌ କ୍ରସ ଏବଂ ହରିଶଚନ୍ଦ୍ର ଯୋଜନା ବାବଦକୁ ପ୍ରତ୍ୟେକ ପରିବାରକୁ ୧୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରିଛନ୍ତି ।

Leave a Reply