ଶିମିଳିପାଳ ହାତୀ ମୃତଦେହ ପୋଡା ମାମଲାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବନ ପରେ ଗିରଫ ହେଲେ ୩ ବନ କର୍ମଚାରୀ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ହାତୀ ପୋଡା ମାମଲାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ପରେ ୩ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ । ଗତ ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା । ଜେନାବିଲରେ ୫୦ ଜଣିଆ ଯାଞ୍ଚ ଦଳ ଗଠନ କରି ଏଠାରେ ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନଥିଲା । ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ ସୁରାକ୍ ମିଳିଥିଲା । କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଥିଲା ।

ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ଦେହାବଶେଷକୁ ନିକଟରେ ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହି ଖବର ଜଣାପଡିବା ପରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଯାଞ୍ଚ ପରେ ଘଟଣାସ୍ଥଳରୁ କିଛି ହାଡ଼ ଖଣ୍ଡ ମିଳିଥିଲା । ଏହା ସହ ଘଟଣାର ଅଧିକ ତଦନ୍ତ ଲାଗି ଜଏଣ୍ଟ ଟାସ୍କଫୋର୍ସ ଘଟଣାସ୍ଥଳକୁ ପଠାଯାଇଥିଲା । ଏନେଇ ହାଇକୋର୍ଟରେ ପିସିସିଏଫ୍ ଦୋଷ ମାନିଥିଲେ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ତେବେ ହାତୀ ମୃତ୍ୟୁ ରୋକିବାକୁ ଜଏଣ୍ଟ ଟାସ୍କ ଫୋର୍ସ କ’ଣ କରିଛି, ଏନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦେବେ ପିସିସିଏଫ୍‌ ।